‘ମାଲକାନଗିରିର ୯୩୩ ଗାଁ ପ୍ରଭାବିତ,୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ’

ମାଲକାନଗିରି ଜିଲ୍ଲାରେ ବର୍ଷା କମିବା ପରେ ସ୍ଥିତି ଧୀରେ ଧୀରେ ସୁଧୁରୁଛି। ତଥାପି ଅଧିକାଂଶ ଅଞ୍ଚଳ ଏବେ ବି ପାଣି ଘେରରେ ରହିଛି। ଆଜି ଆକାଶମାର୍ଗରୁ ବନ୍ୟାଞ୍ଚଳ ଅନୁଧ୍ୟାନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଆକାଶ ମାର୍ଗରୁ ଏରିଏଲ୍ ସର୍ଭେ କରିଛନ୍ତି ରାଜସ୍ୱ ମନ୍ତ୍ରୀ ଓ ଏସ୍‌ଆରସି।ସର୍ଭେ ପରେ ମନ୍ତ୍ରୀ କହିଛନ୍ତି, ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ୯୩୩ ଗାଁ ପ୍ରଭାବିତ ହୋଇଛି। ୧୯୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। ୩୨୧ଟି ଘର ଭାଙ୍ଗିଯାଇଛି। ୭ ଦିନ ଭିତରେ ସର୍ଭେ କରି କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ପାଇବାର ୪୮ ଘଣ୍ଟା ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ବ୍ୟବସ୍ଥା କରାଯିବ।୫ ଦିନ ଧରି ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ  ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୋଦାବରୀ ନଦୀ ଫୁଲୁଥିବାରୁ ମୋଟୁ ଅଞ୍ଚଳ ପାଣି ଘେରରେ ରହିଛି। ଗୋଦାବରୀ ନଦୀରୁ ଜଳ ନିଷ୍କାସନ ହୋଇ ପାରି ନଥିବାରୁ ସାବେରୀ, ସିଲେରୁ ନଦୀର ଜଳ ପତ୍ତନ ବୃଦ୍ଧି ପାଇଛି। ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ମାଲକାନଗିରିରୁ ଛତିଶଗଡ ଓ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପକ୍ଷରେ ପାଣି କମିବା ପରେ କାଙ୍କରକୋଣ୍ଡା ପୋଲ ଉପରେ ୩୨୬ନମ୍ବର ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇଛି।

ସେହିପରି ପଙ୍ଗମ, ପୋଟେରୁ, MV 37 ପୋଲ ଉପରେ ପାଣି କମିଥିବାରୁ ମାଲକାନଗିରିରୁ ଜୟପୁର ଓ ବାଲିମେଳାକୁ ଗାଡି ମୋଟର ଚଳାଚଳ ପୁଣି ଥରେ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଭୋଜଗୁଡାରେ ପାଣି ଘେରରେ ଫସିଥିବା ୩୦ ଜଣଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ଯବାନ। ଚାଷ କରିବାକୁ ଯାଇଥିବା ବେଳେ ଜଳସ୍ତର ବୃଦ୍ଧି ପାଇବାରୁ ସେମାନେ ପାଣି ଘେରରେ ରହିଯାଇଥିଲେ। ସ୍ଥାନୀୟ ଲୋକେ ଏ ସଂକ୍ରାନ୍ତରେ  ପ୍ରଶାସନ ସହ ଯୋଗାଯୋଗ କରିବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାରକାରୀ ଟିମ୍ ପଠାଯାଇଥିଲା। ସନ୍ଧ୍ୟାରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

Spread the love