ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି, ବିପଦ ସଂକେତ ଉପରେ ବ୍ରହ୍ମପୁତ୍ର

ଗୁଆହାଟୀ : ଦେଶର ଅଧିକାଂଶ ରାଜ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହର ସମ୍ମୁଖୀନ ହେଉଥିବାବେଳେ ଆସାମରେ ବନ୍ୟା ପରିସ୍ଥିତି ଗୁରୁତର ସ୍ଥିତି ସୃଷ୍ଟି କରିଛି । ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ସମେତ ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବିପଦ ସଂକେତ ଉପରେ ରହିଛି । କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲ୍ୟୁସି) ସକାଳ ବୁଲେଟିନ୍ ରେ କୁହାଯାଇଛି ଯେ ବ୍ରହ୍ମପୁତ୍ର ନଦୀ ଜୋରହାଟ ଜିଲ୍ଲାର ନିମତିଘାଟଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି କାମପୁର (ନଗାଓଁ)ର କୋପିଲି ଓ କାମରୂପ ଜିଲ୍ଲାର ପୁଥିମାରୀଠାରେ ମଧ୍ୟ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଗତ କିଛି ଦିନ ଧରି ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ବହୁ ସଂଖ୍ୟାରେ ଲୋକ ପ୍ରଭାବିତ ହୋଇଛନ୍ତି। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏଏସଡିଏମଏ)ର ରିପୋର୍ଟ ଅନୁଯାୟୀ, ଶନିବାର ସୁଦ୍ଧା ରାଜ୍ୟର ୧୦ଟି ଜିଲ୍ଲାରେ ୩୭,୫୩୫ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।
ଗୌହାଟୀରେ ଭୂସ୍ଖଳନ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ସାରା ରାଜ୍ୟରୁ ନଦୀବନ୍ଧ କ୍ଷତିଗ୍ରସ୍ତ କିମ୍ବା ଭାଙ୍ଗିବାର ଖବର ମିଳିଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପରିମାଣରେ ଜମି କ୍ଷୟ ମଧ୍ୟ ହୋଇଛି ।

Spread the love