ବର୍ଷାହେଲେ ବୁଡିଯାଉଛି ଗାଁ: ରାସ୍ତାପାଇଁ ପ୍ରତିବର୍ଷ ଗୁହାରି କରୁଛନ୍ତି ଗ୍ରାମବାସୀ; ଦୁଃଖ ଶୁଣୁନାହାନ୍ତି ଜନପ୍ରତିନିଧି

ସୋର,୧୨/୮: ଉପରୋକ୍ତ ଜଳମଗ୍ନ ଫୋଟୋକୁ ଦେଖିଲେ କେଉଁ ନଦୀ କିମ୍ବା ନଈ ପରି ଦେଖାଯାଉଛି। କିନ୍ତୁ ବାସ୍ତବରେ ତାହା କେଉଁ ନଦୀ ନୁହଁ, ଏହା ହେଉଛି ସୋର ବ୍ଲକ କେଦାରପୁର ପଂଚାୟତ ଘାସୁଆ ଗାଁର ପ୍ରଧାନସାହିକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତା। ଏହି ରାସ୍ତାରେ ବର୍ଷା ହେଲେ ଅଣ୍ଟାଏ ପାଣି ଜମି ରୁହେ। ଏହି ରାସ୍ତା ଦେଇ ଗ୍ରାମବାସୀଙ୍କୁ ଠାରୁ ଆରମ୍ଭ କରି ସ୍କୁଲ ଓ କଲେଜକୁ ଛାତ୍ର ଛାତ୍ରୀମାନେ ଯାଇଥାନ୍ତି। ହେଲେ ସେହି ଏକମାତ୍ର ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମି ରହିଛି। ଫଳରେ ଉକ୍ତ ଗ୍ରାମରେ ରହୁଥିବା ପ୍ରାୟ ୧୦୦୦ ଲୋକ ଜଳ ବନ୍ଦୀ ରହିଛନ୍ତି। ଉକ୍ତ ରାସ୍ତାକୁ ଉଚ୍ଚା କରିବା ପାଇଁ ଗ୍ରାମବାସୀ ଅନେକ ଥର ବିଧାୟକ ଓ ସରପଞ୍ଚଙ୍କୁ କହିଥିଲେ ମଧ୍ୟ କେବଳ ପ୍ରତିଶୃତି ବ୍ୟତୀତ ଆଉ କିଛି ମିଳିନି।

ସୂଚନାଯୋଗ୍ୟ,ଲଗାତର ୪ଦିନ ବର୍ଷା ହେବା ପରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀ ଫୁଲିଛି । ବର୍ଷାଜଳ ପ୍ରଭାବିତ ହୋଇ ନଦୀକୂଳ ଅଂଚଳରେ ବନ୍ୟା ସୃଷ୍ଟି ହୋଇଛି । ସୋର ବ୍ଲକ କେଦାରପୁର ପଂଚାୟତ ଘାସୁଆ ଗାଁର ପ୍ରଧାନସାହି ରାସ୍ତାରେ ଅଂଟାଏ ଉଚ୍ଚର ପାଣି ଜମିଥିବାରୁ ଗ୍ରାମବାସୀ ଘରୁ ବହାରକୁ ବାହାରି ପାରୁ ନାହାନ୍ତି। ପ୍ରଧାନ ସହିକୁ ରାସ୍ତା ମରାମତି ନେଇ ବାରମ୍ବାର ବିଧାୟକ, ସରପଂଚଙ୍କୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଅସରାଏ ବର୍ଷା ହେଲେ ସ୍କୁଲ ଯିବାକୁ ଛାତ୍ରଛାତ୍ରୀ ହଇରାଣ ହେଉଥିବାବେଳେ ସାଧାରଣ ଲୋକେ କୌଣସି କାମରେ ବାହାରକୁ ଯାଇ ପାରୁନାହାନ୍ତି। ପାଣି ଘେର ଭିତରେ ପ୍ରାୟ ୧୦୦୦ ଲୋକ ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ ।  ଅନ୍ୟପକ୍ଷରେ ଘାସୁଆରୁ କ୍ଷୀରକୋଣା ଯିବାକୁ ପୋଲ ରହିଛି କିନ୍ତୁ ପାଣିରେ ମଧ୍ୟ ପୋଲଟି ବୁଡି ଯାଇଛି । ଅପରପକ୍ଷେ ପାଣି ଘେର ଭିତରେ ଘାସୁଆର ପ୍ରଧାନସାହି, ବନ୍ତଡା, ବାଣସିଆ, କୁରୁବାଙ୍କ ପାଟଣା ଭଳି ଅନେକ ଗାଁ ଜଳବନ୍ଦୀରେ ରହିଛନ୍ତି । ଏହି ଗାଁର ଲୋକେ ଚାଷ ଉପରେ ନର୍ଭର କରନ୍ତି କିନ୍ତୁ ବନ୍ୟାପାଣିରେ ଚାଷ ନଷ୍ଟ ହେବା ସହ ଲୋକେ ଜୀବିକା ହରାଉଛନ୍ତି ।


ସୂଚନାଥାଉ କି, ଗାଁ ପାଖରେ କାଂଶବାଂଶ ନଦୀ ରହିଛି । ବର୍ଷା ହେଲେ ନଦୀ ଫୁଲି ଲୋକଙ୍କ ଘରେ ପାଣି ପସିଥାଏ । ସରକାର ଏହି ନଦୀରେ ମଧ୍ୟ ପଥର ବନ୍ଧ ଦେଇନାହାନ୍ତି ଫଳରେ ଅଧିକ ପାଣି ହେବାରୁ ଅତଡା ଖସୁଛି ଏନେଇ ଗ୍ରାମବାସୀଙ୍କ ଜୀବନ ବିପଦରେ । ଆଗରୁ ମଧ୍ୟ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ,  ଯଥାଶୀଘ୍ର ଘାସୁଆ ପ୍ରଧାନସାହି ରାସ୍ତା ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Spread the love