କୁହୁଡି ଯୋଗୁ ଜାପାନରେ ୫୦ରୁ ଊର୍ଦ୍ଧ୍ୱ ଗାଡ଼ିର ସିରିଜ୍ ଦୁର୍ଘଟଣା
ଟୋକିଓ : ଜାପାନର ଗୁମ୍ନା ରାଜ୍ୟର ମିନାକାମୀ ସହରରେ କାନ୍-ଏତସୁ ଏକ୍ସପ୍ରେସ ୱେରେ ଶୁକ୍ରବାର ବିଳମ୍ବିତ ରାତିରେ ତୁଷାରପାତ ଓ ଘନ କୁହୁଡି ଯୋଗୁ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦୃଶ୍ୟମାନ କମ୍ ହେବା କାରଣରୁ ଦୁଇଟି ଟ୍ରକ୍ ପରସ୍ପରକୁ ଧକ୍କା ଦେଇଥିଲେ । ଫଳରେ ଏକ୍ସପ୍ରେସ ୱେର ଏକ ଅଂଶକୁ ଏହି ଦୁର୍ଘଟଣା ଅବରୋଧ କରିଥିଲା । କିନ୍ତୁ ସଡ଼କରେ ବରଫ ପଡିଥିବା କାରଣରୁ ପଛରୁ ଆସୁଥିବା ଗାଡିଗୁଡିକ ଠିକ୍ ସମୟରେ ବ୍ରେକ୍ ଲଗାଇପାରି ନଥିଲେ । ଫଳରେ ୫୦ରୁ ଅଧିକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ଓ ଏହି ସିରିଜ ଦୁର୍ଘଟଣା ହୋଇଥିଲା । ଏହି କାରଣରୁ କେତୋଟି ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏଥିରେ ଜଣେ ୭୭ ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୨୬ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ବର୍ଷ ଶେଷ ଓ ନୂଆବର୍ଷ ଛୁଟି କାରଣରୁ ପ୍ରବଳ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଥିଲା । ଏଥିରେ ଡଜନେରୁ ଅଧିକ ସଂଖ୍ୟକ ଗାଡ଼ି ଜଳି ପାଉଁଶ ହୋଇଯାଇଛି । ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ୭ ଘଣ୍ଟରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା ।
