ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ସହ ୫ଟି ପାଇପ୍ ମାଧ୍ୟମରେ ହେଲା ସମ୍ପର୍କ ସ୍ଥାପନ, ପଠାଗଲା ଶୁଖିଲା ଖାଦ୍ୟ

ନୂଆଦିଲ୍ଲୀ : ଉତ୍ତରକାଶୀରେ ସୁଡ଼ଙ୍ଗ ଭୁଶୁଡ଼ିବା ପରେ ଫସି ରହିଥିବା ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି । ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଜାରି ରହିଥିବା ଖନନ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାବେଳେ ଆଉ କିଛି ଖନନ କାର୍ଯ୍ୟ ବାକି ରହିଛି । ଏପର୍ଯ୍ୟନ୍ତ ୨୫ ମିଟର ଡ୍ରିଲ କରାଯାଇଥିବାବେଳେ ଆହୁରି ୩୦ରୁ ୪୦ ମିଟର ଡ୍ରିଲ କରାଯିବା ବାକି ରହିଛି । ତେବେ ଶ୍ରମିକ ମାନଙ୍କ ନିକଟରୁ ଖାଦ୍ୟ ଓ ପାନୀୟ ପଠାଇବା ଦିଗରେ ଏକ ବଡ଼ ସଫଳତା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ଭିତରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଦିଗରେ ବଡ଼ ସଫଳତା ମିଳିଛି। ସୁଡ଼ଙ୍ଗ ଭିତରେ ୯୦୦ ମିଲିମିଟର ଚଉଡ଼ା ବିଶିଷ୍ଟ ୫ଟି ପାଇପ୍ ପ୍ରବେଶ କରାଯାଇଛି, ଯାହା ସାହାଯ୍ୟରେ ଫସି ରହିଥିବା ଲୋକଙ୍କ ସହ ଯୋଗାଯୋଗ କରାଯାଇଛି। ଏସବୁ ପାଇପ୍ ଦେଇ ସେମାନଙ୍କ ନିକଟକୁ କିଛି ଶୁଖିଲା ଖାଦ୍ୟ, ଡ୍ରାଏ ଫ୍ରୁଟ ଓ ପାନୀୟ ପଠାଯାଇଛି ।

ଭଗ୍ନାବଶେଷ ଭିତରେ କିଛି କଠୋର ପଦାର୍ଥ ଥିବାରୁ ଖନନ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ ହୋଇଯାଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ସୁଡ଼ଙ୍ଗ ଭିତରେ ଥିବା ଆବର୍ଜନାର ଜିଓଫିଜିକାଲ ଅଧ୍ୟୟନ କରିଛନ୍ତି। ଏଥିପାଇଁ ବୈଜ୍ଞାନିକଙ୍କ ଏକ ଟିମ୍ ଦିଲ୍ଲୀରୁ ଅପରେସନ୍ ସ୍ଥଳରେ ପହଞ୍ଚିଥିଛନ୍ତି । ବଡ଼ ବଡ଼ ପଥର ଓ ମେସିନ୍ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଜିଓଫିଜିକାଲ ଅଧ୍ୟୟନରୁ ହିଁ ଚିତ୍ର ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଉଛି।

Spread the love