ସ୍କୁଲ ପରିସରରେ ଭାଲୁ,ପାଠପଢା ବନ୍ଦ

ନନ୍ଦାହାଣ୍ଡି/ନବରଙ୍ଗପୁର:୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ସ୍କୁଲ ପରିସର ଏକ ଗଛ ଉପରୁ ଏକ ଜଙ୍ଗଲୀ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରିବାରେ ସଫଳ ହୋଇଛି ବନବିଭାଗ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ପ୍ରାଥମିକ ବିଦ୍ୟାଳୟ ରେ ଏଭଳି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଏହାପରେ ସୁରକ୍ଷିତ ସ୍ଥାନରେ ଭାଲୁ କୁ ଛଡା ଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦହଣା ପ୍ରାଥମିକ ସ୍କୁଲ ପରିସରରେ ଆଜି ସକାଳୁ ଏକ ଭାଲୁ ପଶି ବୁଲାବୁଲି କରୁଥିଲା । ବିଦ୍ୟାଳୟ ଖୋଲିବା ପରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାଲୁଟି ନିର୍ମାଣଧୀନ ଏକ ଘର ସମ୍ମୁଖରେ ଶୋଇଥିବାର ଦେଖିଥିଲେ । ଏହାପରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଇ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ନିଜ ଘରକୁ ଫେରାଇ ଦେଇଥିଲେ । ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚିଥିଲେ ।

ସେହିପରି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି ପହଞ୍ଚି ତୁରନ୍ତ ଭାଲୁ କୁ ଧରିବା ପାଇଁ ବନ ବିଭାଗ ସହିତ ଆଲୋଚନା କରିଥିଲେ । ତେବେ ବନ ବିଭାଗ କର୍ମଚାରୀ ଓ ରେପୀଡ଼ ରେଷ୍ପନ୍ସ ଟିମ ର ମିଳିତ ଉଦ୍ୟମରେ ଜାଲ ବିଛାଇ ଭାଲୁ କୁ ଧରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଥିଲା । ହେଲେ ଭାଲୁ ଟି ଭୟଭୀତ ହୋଇ ଗଛ ଉପରକୁ ଚଢି ଯାଇଥିଲା । ଶେଷରେ ଭାଲୁକୁ ଟ୍ରଙ୍କୁଲାଇଜ କରିଥିଲା ରେପୀଡ଼ ରେସ୍ପନ୍ସ ଟିମ । ଟ୍ରଙ୍କୁଲାଇଜ ପରେ ଭାଲୁ ଅଚେତ ହୋଇଯାଇଥିଲା । ଏହାପରେ ଅଚେତ ଅବସ୍ଥାରେ ଗଛ ଉପରେ ଥିବା ଭାଲୁକୁ ତଳକୁ ଖସାଇ ଜାଲରେ କାବୁ କରାଯାଇଥିଲା । ତେବେ ଉଦ୍ଧାର ହୋଇଥିବା ଭାଲୁକୁ ନେଇ ସୁରକ୍ଷିତ ସ୍ଥାନରେ ଛଡାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଜଂଗଲକ୍ଷୟ ଯୋଗୁଁ ଭାଲୁ ଖାଦ୍ୟ ଅନ୍ୱେଷଣରେ ଅନେକ ସମୟରେ ଗାଁ ମଧ୍ୟରେ ପଶିଆସୁଥିବା ଗ୍ରାମବାସୀ କହିଛନ୍ତି।

Spread the love