ଲଘୁଚାପ ପ୍ରଭାବରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ଶୀଘ୍ର ପହଂଚିପାରେ: ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର

ଭୁବନେଶ୍ୱର, ମଇ ୨୪ : ଉତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନକୁ ତ୍ୱରାନ୍ୱିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ କୁହାଯାଇଛି ।

ଏହି ଲଘୁଚାପ ମେ ୨୬ କିମ୍ବା ୨୭ ତାରିଖରେ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଶନିବାର କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ରାଜ୍ୟରେ ଝିପିଝିପି ବର୍ଷା ଲାଗି ରହିପାରେ ଏବଂ ଲଘୁଚାପ ଯୋଗୁଁ ମେ ୨୭ ଅପରାହ୍ଣରୁ ବର୍ଷାର ତୀବ୍ରତା ବୃଦ୍ଧି ପାଇପାରେ । ଏହି ବୃଷ୍ଟିପାତ ମେ ୩୦ ରାତ୍ରି ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ଅଛି । ମାତ୍ର ମେ ୨୮ ଓ ୨୯ ତାରିଖରେ ଓଡ଼ିଶାର ଉପକୂଳ ଅଂଚଳ ଓ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।
ଏହି ବର୍ଷାର ତୀବ୍ରତା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଅନୁଭୂତ ହୋଇପାରେ ବୋଲି ଡକ୍ଟର ସାହୁ କହିଛନ୍ତି ।
ଏହି ବର୍ଷା ଫଳରେ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ମେ ୨୮ ବା ୨୯ ତାରିଖରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।
ଡକ୍ଟର ସାହୁ କହିଛନ୍ତି ବର୍ତମାନ ହେଉଥିବା ବର୍ଷାକୁ ପ୍ରାକ-ମୌସୁମୀ ବର୍ଷା ଭାବେ ଅବିହିତ କରାଯାଇପାରେ । ପୂର୍ବରୁ ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅବପାତ ଇତି ମଧ୍ୟରେ ଦକ୍ଷିଣ ମହାରାଷ୍ଟ୍ର ମଧ୍ୟକୁ ପ୍ରବେଶ କରିସାରିଛି ଓ ଏହାର ଆଦ୍ରତା ଓଡ଼ିଶା ଆଡ଼କୁ ପ୍ରବାହିତ ହେଉଛି ବୋଲି ସେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *