ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ସମାରୋହ, ଯୋଗଦେଲେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା
ଭୁବନେଶ୍ବର : ଆଧୁନିକ ଓଡ଼ିଶାର ନିର୍ମାତା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ । ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ କମିଟି ପକ୍ଷରୁ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି । ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡିଆରେ ସମାରୋହ ଉଦଘାଟିତ ହୋଇଛି । ଆଜିଠୁ ୨୦୨୭ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସାମ୍ବାଦିକ ଓ ସାହିତ୍ୟରେ ଜାନକୀ ବାବୁଙ୍କର ରୁଚି ଥିଲା । ସାମ୍ବାଦିକକୁ ସେ ବୃତ୍ତି କରିଥିଲେ । ସେ ତରୁଣ ବୟସରେ ସାମ୍ବାଦିକ ଦାୟିତ୍ୱ ନେଇ ବିରଳ ରେକର୍ଡ କରିଥିଲେ । ସେ କଂଗ୍ରେସର ଯୁବ ଶାଖାର ନେତୃତ୍ୱ ନେଇଥିଲେ । 3 ଥର ମୁଖ୍ୟମନ୍ତ୍ରୀ ଓ ପରେ ବିରୋଧୀ ଦଳ ନେତା ଓ ପରେ ଆସାମର 2009ରୁ 14 ମସିହା ପର୍ଯ୍ୟନ୍ତ ରାଜ୍ୟପାଳ ମଧ୍ୟ ଥିଲେ । ମୁଁ ମଧ୍ୟ ତାଙ୍କ ସହ କାମ କରିବାର ସ୍ୱଭାଗ୍ୟ ପାଇଛି । ତାଙ୍କ ସହ ମିଶିବା ତାଙ୍କ ପରାମର୍ଶ ନେବା ମୋ ଜୀବନର ବଡ଼ ଅନୁଭୂତି । ତାଙ୍କର ସାଂଗଠନିକ ଦକ୍ଷତା ସବୁବେଳେ ମନେ ରହିବ । .ସେ ଦୃଢ଼ ପ୍ରଶାସକ ଥିଲେ । ଆମ ସରକାର ଜନକୀ ବାବୁଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଯାଉଛି । ପୁଣିଥରେ ରାଜ୍ୟରେ ଶିଳ୍ପ ବିପ୍ଳବ ହେବ । ସେ ଓଡ଼ିଶାରେ ଶ୍ୱେତ ବିପ୍ଳବ ଆଣିଥିଲେ ଏବଂ ଓମ୍ଫେଡ଼ ହେଉଛି ତାଙ୍କର ଅବଦାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିଛନ୍ତି, ତାଙ୍କର ଅମର ଆତ୍ମା ପ୍ରତି ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି । ଜାନକୀ ବାବୁ 60 ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ଜନ ଜୀବନ ସହ ଜଡିତ ଥିଲେ । ତାଙ୍କର ଜୀବନ ସାହିତ୍ୟ, ସଂକୃତି ଓ ରାଜନୀତିର ତ୍ରିବେଣୀ ସଙ୍ଗମ ଥିଲା । ଦୀର୍ଘ 14 ବର୍ଷ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଭାବରେ ଲୋକଙ୍କ ସେବା କରିଛନ୍ତି । କୃଷି, ଜଳସେଚନ, ଆଇଟି କ୍ଷେତ୍ରରେ ଅନେକ କାମ କରି ଯାଇଛନ୍ତି । ମୁଁ ମୁଖ୍ୟମନ୍ତ୍ରୀ ଥିଲା ବେଳେ ସେ ବିରୋଧୀ ଦଳ ନେତା ଥିଲେ । ସେ ସମୟରେ ସେ ଅନେକ ଗଠନମୂଳକ ପ୍ରସ୍ତାବ ଦେଇଛନ୍ତି । ତାଙ୍କର ବଡ଼ ଆସେଟ ଥିଲା ସାଂଗଠନିକ ଦକ୍ଷତା ଓ ଧୈର୍ଯ୍ୟ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତା ଯୋଗଦେଇଛନ୍ତି ।
