ନାଳକୁ ଖସିପଡିଲା କାର, ୪ ମୃତ

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ରବିବାର ସକାକେ ଏକ ଭୟାନକ ଦୁର୍ଘଟଣା ଦେଖିବାକୁ ମିଳଛି । କୁହୁଡି କାରଣରୁ କାର ଚଳାଉଥିବା ଚାଳକକୁ ରାସ୍ତାର ମୋଡ ଦେଖା ନଯିବାରୁ କାରଟି ସିଧା ରାସ୍ତାକଡରେ ଥିବା ଏକ ଗଭୀର ନାଳକୁ ଖସିପଡିଥିଲା । ଏହି କାରରେ ମୋଟ ୫ ଜଣ ଲୋକ ଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ ସୈରପୁର ଉର୍ଦ୍ଧୁ ପାରସୀ ଛକରେ ଏହି ଦୁର୍ଘଟଣା ଘଟିଛି । ଏକ ସରକାରୀ ନମ୍ବର ଥିବା ମାରୁତି ଗାଡିରେ ୫ ଜଣ ବନ୍ଧୁ ବିକେଟି ଆଡକୁ ଯାଉଥିଲେ । ହେଲେ କୁହୁଡି କାରଣରୁ ରାସ୍ତା ଝାପସା ଦେଖାଯାଉଥିବାରୁ ଏକ ମୋଡରେ ଚାଳକ ରାସ୍ତା ଜାଣିପାରି ନଥିଲେ । ଏହାପରେ କାରଟି ସିଧାସଳଖ ଏକ ନାଳ ଭିତରକୁ ଖସିପଡିଥିଲା । ଏହାପରେ ୫ ଜଣ ଯାକ କାର ଭିତରେ ଫଶି ଯାଇଥିଲେ । ଦୁର୍ଘଟଣାର ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ ସେମାନଙ୍କୁ ଲକ୍ଷ୍ନୈା କେଜିଏମୟୁ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଜଣଙ୍କର ଚିକିତ୍ସା ଚାଲିଛି ।

ଏହି ଦୁର୍ଘଟଣାକୁ ନେଇ ଉତ୍ତର ଲକ୍ଷ୍ନୌର ଆଡିସିନାଲ ଡିସିପି ଅଭିଜିତ୍ ଆର ଶଂକର କହିଛନ୍ତି କି କାରଟି ଉପଭୋକ୍ତା ଫୋରମର ଅବସରପ୍ରାପ୍ତ ବିଚାରପତିଙ୍କ ଡ୍ରାଇଭର ଅମରନାଥ ଯାଦବଙ୍କର । ଏହି ଦୁର୍ଘଟଣାରେ ବିଚାରପତିଙ୍କ ପୁଅ ସନ୍ଦୀପ ଓ ତାଙ୍କ ସାଂଗମାନଙ୍କର ମୃତ୍ୟୁ ହୋଇଛି । ଏହି କାରଟିକୁ ଡ୍ରାଇଭର ଅମରନାଥ ନିଲାମୀରେ କିଣିଥିଲେ । ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି ।

Spread the love