ମା’ ଫୋନରେ ବ୍ୟସ୍ତ ଥିବା ବେଳେ ଶିଶୁ ‌ଚଳନ୍ତା ଟ୍ରେନ ଶୌଚାଳୟରେ ଫସିଗଲା

ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ମା’ର ଅବହେଳା ହେତୁ ଚାରିବର୍ଷର ଶିଶୁ ଶୌଚାଳୟରେ ଫସି ଯାଇଥିଲା। ସୌଭାଗ୍ୟବଶତଃ ଉକ୍ତ ଶିଶୁକୁ ଶୌଚାଳୟରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ସୂଚନାଯୋଗ୍ୟ, ବିହାରର ସୀତାମଢ଼ିରେ ବସବାସ କରୁଥିବା ମହମ୍ମଦ ଅଲ୍ଲି ସ୍ତ୍ରୀ ଓ ଚାରିବର୍ଷର ଝିଅ ସାଇନା ସହିତ ରେଳରେ କୋଚ ନମ୍ବର ବି-୬ରେ ଯାତ୍ରା କରୁଥିଲେ। ବୁଧବାର ଟ୍ରେନ ଆଗ୍ରା ଫୋର୍ଟ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା। ଟ୍ରେନ ଇଦଗାହ ଷ୍ଟେସନ ଅତିକ୍ରମ କରିବା ପରେ ସାଇନାଙ୍କୁ ପରିସ୍ରା ଲାଗିଥିଲା। ଏହାପରେ ସାଇନାକୁ ତାର ମା’ ଶୌଚାଳୟ ନେଇଯାଇଥିଲେ।

ଶୌଚାଳୟ‌ରେ ଝିଅକୁ ପରିସ୍ରା ପାଇଁ ବସାଇଥିବା ବେଳେ ଫୋନ ଆସିଥିଲା। ଏହାପରେ ସାଇନାର ମା’ ଫୋନରେ ବ୍ୟସ୍ତ ହୋଇଯାଇଥିଲେ। ଏହି ସମୟରେ ଟ୍ରେନର ଗତି ବଢ଼ିଯିବା ପରେ ସାଇନା ଶୌଚାଳୟରେ ଖସି ପଡ଼ିଥି‌ଲା। ଆଉ ଶୌଚାଳୟ ଗର୍ତ୍ତରେ ତାର ଗୋଡ଼ ଫସି ଯାଇଥିଲା। ସେ ଜୋରଜୋରରେ କାନ୍ଦିବା ପରେ ମା’ ଦେଖିଲା ବେଳକୁ ସାଇନାର ଗୋଡ଼ ଶୌଚାଳୟରେ ଫସି ଯାଇଥିଲା।

ସାଇନାର ମା’ ଏନେଇ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ। ମହମ୍ମଦ ଅଲ୍ଲିଙ୍କ ସହିତ ତାଙ୍କ ସହ ଯାତ୍ରା କରୁଥିବା ସହଯାତ୍ରୀମାନେ ଘଟଣାସ୍ଥଳରେ ଜମା ହୋଇଥିଲେ। ଟିଟିଙ୍କୁ ଏନେଇ ସୂଚନା ଦେବା ପରେ ସେ ରେଳ କର୍ମଚାରୀଙ୍କୁ ଏହି ଘଟଣା ବିଷୟରେ ଖବର ଦେଇଥିଲେ। ରେଳ କର୍ମଚାରୀ ବାୟୋ ‌ଟଏଲେଟର ବାକ୍ସ ଖୋଲି ଶିଶୁର ଗୋଡ଼କୁ ସେଥିରୁ ବାହାର କରିଥିଲେ। ଏହି ଦୁର୍ଘଟଣାରେ ଶିଶୁକୁ ଆଘାତ ଲାଗିଥିଲା। ପ୍ରାଥମିକ ଉପଚାର ପରେ ସାଇନା ସୁସ୍ଥ ଅଛି।

Spread the love