ଆନ୍ଧ୍ରରୁ ମହାରାଷ୍ଟ୍ର ଗଂଜେଇ ଚାଲାଣ ବେଳେ ‌କୋରାପୁଟରେ ଧରାପଡ଼ିଲେ ୪ ଯୁବକ

ନନ୍ଦପୁର: କୋରାପୁଟ ଜିଲ୍ଲା ନନ୍ଦପୁର ପୁଲିସ ଶୁକ୍ରବାର ରାତିରେ ଏକ ଅନ୍ତଃରାଜ୍ୟ ଗଞ୍ଜେଇ ଚାଲାଣ ଦଳକୁ ଧରିବାରେ ସଫଳ ହୋଇଛି। କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏସ୍‌ଆଇ ବେଦବର ସାହୁ, ଏସ୍‌ଆଇ ଦୀପ୍ତିମୟୀ ଧାରୁଆ, ଏସ୍‌ଆଇ ରମାନନ୍ଦ ଭକ୍ତ ଓ ପୁଲିସ ଟିମ ନନ୍ଦପୁର ଆଇବି ଛକରେ ନାକାବନ୍ଦୀ କରି ଏକ ସ୍କୋର୍ପିଓ (ଏମ୍‌ଏଚ୍‌ ୨୫ଆର ୬୬୫୦)କୁ ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ିରେ ପାଞ୍ଚଟି ଜରିବସ୍ତାରେ ଗଞ୍ଜେଇ ଭର୍ତ୍ତି ଥିଲା। ଗଂଜେଇ ସହ ଗାଡ଼ିରେ ଥିବା ଚାରି ଜଣକୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ହରିଶ୍ଚନ୍ଦ୍ର ଗୋଲରି, ମହାରାଷ୍ଟ୍ରର ଅମରାବତୀର ଅଭିଜିତ ବୈଦ୍ୟ, ସ୍ୱପ୍ନିଳ ସିନ୍ଧେ ଓ ବିକ୍ରମ ସାନନ ବୋଲି ପୁଲିସ ତଦନ୍ତରେ ଜଣାପଡିଛି।
ଜବତ ହୋଇଥିବା ଗଞ୍ଜେଇର ଓଜନ ୧୫୪ କିଲୋ ୪୦୦ ଗ୍ରାମ। ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ରକୁ ଚାଲାଣ ହେଉଥିଲା ବୋଲି ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଆଜି ଚାରି ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।

Spread the love