ମେୟର୍ଙ୍କ ଘରେ କାର୍ ପୂରାଇଦେଲେ ଫ୍ରାନ୍ସ୍ ଦଙ୍ଗାକାରୀ; ସ୍ତ୍ରୀ ଓ ସନ୍ତାନ ଆହତ
ପ୍ୟାରିସ୍: ପ୍ୟାରିସ୍ର ଦକ୍ଷିଣାଞ୍ଚଳ ଉପନଗରୀ ଲେ-ଲେସ୍-ରୋଜେସ୍ସ୍ଥିତ ମେୟର୍ଙ୍କ ବାସଭବନ ଭିତରକୁ ଫ୍ରାନ୍ସ୍ ଦଙ୍ଗାକାରୀମାନେ କାର୍ ଚଳାଇନେବାରୁ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିବା କଥା ଆଜି ସେ କହିଛନ୍ତି। ଟୁଇଟ୍ କରି ମେୟର୍ ଭିନ୍ସେଣ୍ଟ୍ ଜିନ୍ବର୍ଣ୍ଣ ଲେଖିଛନ୍ତି ଯେ, ତାଙ୍କୁ ଓ ତାଙ୍କ ପରିବାରର କ୍ଷତି କରିବା ଲାଗି ପ୍ରତିବାଦକାରୀମାନେ ଶନିବାର ରାତିରେ ତାଙ୍କ ଘରେ ଆକ୍ରମଣ କରିଛନ୍ତି। ମୋ ପରିବାର ଶୋଇଥିବା ବେଳେ ପ୍ରତିବାଦକାରୀମାନେ ଘର ଭିତରକୁ କାର୍ ଚଳାଇ ଆଣି ନିଆଁ ଲଗାଇ ଦେଇଥିଲେ। ମୋ ସ୍ତ୍ରୀ ଓ ପିଲାମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି। ଏପରି ହତ୍ୟା ଆକ୍ରମଣ ଉଦ୍ୟମ ଅକଥନୀୟ ଭୀରୁତା ବୋଲି ସେ କହିଛନ୍ତି।
ସମଗ୍ର ଫ୍ରାନ୍ସ୍ରେ ଚାଲିଥିବା ଦଙ୍ଗାର ୫ମ ରାତ୍ରୀରେ ଏହି ଘଟଣା ଘଟିଛି। ସୂଚନା ଯୋଗ୍ୟ, ଟ୍ରାଫିକ୍ ସ୍ପଟ୍ରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ନାହେଲ୍ ଏମ୍. ନାମରେ ଜଣେ ୧୭ ବର୍ଷିୟ ତରୁଣଙ୍କୁ ପୁଲିସ ଗୁଳି ମାରି ହତ୍ୟା କରିବା ପରେ ସମଗ୍ର ଫ୍ରାନ୍ସ୍ରେ ଦଙ୍ଗା ଚାଲିଛି। ବିଶେଷକରି ରତ୍ରୀ ସମୟରେ ହେଉଥିବା ଏହି ଦଙ୍ଗାରେ ପ୍ରତିବାଦକାରୀମାନେ କାର୍ ପୋଡ଼ିବା ସହିତ ଭିତ୍ତିଭୂମି ଉପରେ ଆକ୍ରମଣ ଏବଂ ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷ କରୁଛନ୍ତି। ସୂଚନାଯୋଗ୍ୟ, ରବିବାର ପ୍ରତ୍ୟୁଷ ସୁଦ୍ଧା ପୁଲିସ ସମଗ୍ର ଦେଶରୁ ୭୧୯ଜଣଙ୍କୁ ଗିରଫ କରିସାରିଲାଣି।