ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତାଙ୍କ ଦେହାନ୍ତ

ବିଶିଷ୍ଟ ଗାନ୍ଧିବାଦୀ ସ୍ୱାଧୀନତା ସଂଗ୍ରାମୀ ଦେବାନନ୍ଦ ଗୁପ୍ତା (୯୬)ଙ୍କ ବୁର୍ଲା ଡାକ୍ତରଖାନାରେ ଶନିବାର ଅପରାହ୍ନ ୨ଟା ୫୦ରେ ପରଲୋକ ହୋଇଛି l ସେ ୨/୩ ଦିନ ହେଲା ଅସୁସ୍ଥ ଥିଲେ। ଆଜି ସକାଳୁ ଗୁରୁତର ଅସୁସ୍ଥ ହେବାରୁ ପ୍ରଥମେ ତାଙ୍କୁ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା I ପରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନନ୍ତରଣ କରାଯାଇଥିଲା I ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତା ୧୯୨୬ ମସିହାରେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଥିବା ତିଲିଆ ଫଟାପାଲି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ଏହି ମହାନ ସ୍ୱାଧୀନତା ସଂଗ୍ରାମୀ ୧୬ ବର୍ଷ ବୟସରୁ ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲେ l ୧୯୪୨ ମସିହାରେ ସାଥିମାନଙ୍କ ସହିତ ଇଂରେଜ ସରକାର ଦ୍ୱାରା ଗିରଫ ହୋଇ ବର୍ଷେ ପର୍ଯ୍ୟନ୍ତ ସଶ୍ରମ କାରାବରଣ କରିବା ସହିତ ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ ହୋଇଥିଲେ।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଳକ୍‍ ନୂଆ ତିହୁରା ପଞ୍ଚାୟତ ଅନ୍ତର୍ଗତ ମୁରା କଲମୀ ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଗୁପ୍ତା ରହି ଆସୁଥିଲେ। ଦେଶ ସ୍ବାଧୀନତା ପରେ ଓ ହୀରାକୁଦ ଜଳଭଣ୍ଡାରରେ ତିଲିଆ ଫଟାପାଲି ଗାଁ ଜଳମଗ୍ନ ହୋଇଯିବାରୁ ପ୍ରଶାସନ ଶ୍ରୀଗୁପ୍ତାଙ୍କ ପରିବାରକୁ କଲମୀ ଗାଁରେ ବିସ୍ଥାପନ କରିଥିଲା।

Spread the love