ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଗାନ୍ଧୀବାଦୀ ପଦ୍ମଚରଣ ନାୟକ

ମଦ ବିରୋଧୀ ଆନ୍ଦୋଳନର ପୁରୋଧା, ସ୍ବାଧୀନତା ସଂଗ୍ରାମୀ, ଗାନ୍ଧୀବାଦୀ ତଥା ରାଜନଗରର ପୂର୍ବତନ ବିଧାୟକ ପଦ୍ମଚରଣ ନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ସାଂପ୍ରତିକ ପରିସ୍ଥିତି ଉପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀମାନେ ସେମାନଙ୍କ ରାଜ୍ୟକୁ ନିଶାମୁକ୍ତ କରିବା ପାଇଁ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଶ୍ରୀ ନାୟକ କହିଛନ୍ତି ଯେ, ଗୋଟିଏ ରାଜ୍ୟ ନିଶା ନିବାରଣ କଲେ ମଧ୍ୟ ପଡ଼ୋଶୀ ରାଜ୍ୟରେ ନିଶା କାରବାର ଚାଲିଛି। ଫଳରେ ସେହି ରାଜ୍ୟରେ ନିଶା ନିବାରଣ ଅଭିଯାନ ସଫଳ ହେଉନାହିଁ। ଗୁଜୁରାଟ ଓ ବିହାର ଏହାର ଉଦାହରଣ। ନିଶାମୁକ୍ତି କରୁଥିବା ରାଜ୍ୟଗୁଡ଼ିକ ଯେଉଁ ରାଜସ୍ୱ କ୍ଷତି ସହିବେ କେନ୍ଦ୍ର ସରକାର ଏହାର ୫୦ ଭାଗ ଅର୍ଥ ସହାୟତା ଆକାରରେ ଯୋଗାଇ ଦେବାକୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି। ଏ ବର୍ଷ ଦେଶ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ କରୁଛି। ଏଣୁ ସମଗ୍ର ଦେଶରେ ନିଶା ନିବାରଣ ହେଲେ ତାହା ତାଙ୍କ ପାଇଁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଶ୍ରୀ ନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ପଦ୍ମ ଚରଣ ନାୟକଙ୍କ ସହ ବହୁତ ଭଲ ଆଲୋଚନା ହେଲା। ସେ ଖୁବ୍‌ ସରଳ ଜୀବନ ଜିଉଁଛନ୍ତି। ସାମାଜିକ କୁସଂସ୍କାରରୁ ସମାଜକୁ ମୁକ୍ତ ରଖିବା ପାଇଁ, ବିଶେଷ କରି ନିଶା କବଳରୁ ମୁକ୍ତି ପାଇଁ ଶ୍ରୀ ନାୟକଙ୍କ ଉଦ୍ୟମ ପ୍ରେରଣାଦାୟକ।

Spread the love