ରାଜନୀତିରୁ ପୁଣି ପରଦାକୁ: ଦର୍ଶକଙ୍କୁ ଅରିନ୍ଦମ ଦେବେ ଦଶହରା ଭେଟି !

ଓଲିଉଡ୍‌ର ସୁପର୍‌ହିରୋ ଅରିନ୍ଦମ୍। କିଛିବର୍ଷ ହେବ ସେ ସିନେମା ଜଗତରୁ ଦୂରେଇ ରହିଥିଲେ। ଏବେ ପୁଣିଥରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି, ତାହା ପୁଣି ନିଜ ପ୍ରଯୋଜନା ସଂସ୍ଥା ଜରିଆରେ। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ, ଆଗାମୀ ଦଶହରା ଅବସରରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ଏବଂ ‘ବାବୁ ଭାଇଜାନ୍’ ପରେ ଏକ ନୂଆ ଭୂମିକାରେ ସେ ପରଦାକୁ ଆସିବେ। ରତ୍ନା ଫିଲ୍ମସ୍ ବ୍ୟାନରର ଏହା ହେବ ଚତୁର୍ଥ ଅବଦାନ। ନିକଟରେ କଟକ ପ୍ରେସ୍‌ଛକ ନିକଟସ୍ଥ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଏହାର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା।

ତେବେ, ପ୍ରଯୋଜନା ସଂସ୍ଥା ଏପର୍ଯ୍ୟନ୍ତ ଫିଲ୍ମର କଳାକାରଙ୍କ ନାମ ଓ ଫିଲ୍ମର ଶୀର୍ଷକ ଘୋଷଣା କରିନାହିଁ। ବିଶେଷ ସୂତ୍ରରୁ ଖବର ମିଳିଛି ଯେ ଫିଲ୍ମର ପ୍ରଥମ ଅକ୍ଷର କୁଆଡ଼େ ଇଂରାଜୀ ଅକ୍ଷର ଆର୍‌ରୁ ଆରମ୍ଭ ହେବ। ଇଂରାଜୀ ଅକ୍ଷର ଆର୍‌ରୁ ଏହା ପୂର୍ବରୁ ବହୁ ଫିଲ୍ମର ନାଁ ତ ହୋଇସାରିଛି। ଏହି ଆର୍‌ ଅକ୍ଷରକୁ ନେଇ ନିକଟରେ ରାଜମୌଲିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବେଶ୍ ଚର୍ଚ୍ଚାକୁ ଆସିଛି। ତେବେ, ଏହି ଫିଲ୍ମର ଟାଇଟଲ୍ କ’ଣ ରହିବ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହାର ସୁଟିଂ ପାଇଁ ପୂର୍ବପ୍ରସ୍ତୁତି ଚାଲିଛି ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

Spread the love