ସ୍ବତନ୍ତ୍ର ଚକୋଲେଟ ସହ ହାଇଦ୍ରାବାଦୀ ଗୋସ୍ତ ବିରିୟାନୀ; ଜି୨୦ ଅତିଥିଙ୍କୁ ପରଷା ଯିବ ଏସବୁ ସ୍ବାଦିଷ୍ଟ ଖାଦ୍ୟ

ନୂଆଦିଲ୍ଲୀ:  ୨୦୨୩ ପାଇଁ ଜି-୨୦ର ଅଧ୍ୟକ୍ଷ ଭାରତ ନୂଆଦିଲ୍ଲୀରେ ଏହାର ଶିଖର ସମ୍ମିଳନୀ ଆୟୋଜନ କରୁଛି। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବିଶ୍ୱ ନେତାମାନେ ମଧ୍ୟ ଦିଲ୍ଲୀକୁ ଆସିବା ଆରମ୍ଭ କରିଛନ୍ତି। ୨ଦିନ ଧରି ଜି୨୦ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତାକାଲି ବିଦେଶୀ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ରାତ୍ରିଭୋଜନର ବ୍ୟବସ୍ଥା କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଦେଶରୁ ଆସୁଥିବା ଅତିଥିଙ୍କ ପାଇଁ ରାତ୍ରିଭୋଜନର ଆୟୋଜନ କରିଛନ୍ତି।

ତେବେ ରାତ୍ରିଭୋଜନ ବ୍ୟତୀତ ବିଳାସପୂର୍ଣ୍ଣ ହୋଟେଲରେ ରହୁଥିବା ବିଦେଶୀ ଅତିଥିଙ୍କୁ କେଉଁ ସବୁ ସ୍ବାଦିଷ୍ଟ ଖାଦ୍ୟ ପରଷା ଯିବ, ତାହା ସାମ୍ନାକୁ ଆସିଛି। ଫ୍ରାନ୍ସର ରାଷ୍ଟ୍ରପତି ଏବଂ ତାଙ୍କ ପ୍ରତିନିଧୀମଣ୍ଡଳ ଦିଲ୍ଲୀର ‘ଦି କ୍ଲାରିଜେସ’ ହୋଟେଲରେ ରହିବେ। ଉକ୍ତ ହୋଟେଲର ରୋଷେୟା ଅଙ୍କୁର ଗୁଲାଟି କହିଛନ୍ତି ଯେ ଏଠାରେ ରହିବାକୁ ଥିବା ଅତିଥିମାନଙ୍କୁ ଏକ ସ୍ୱତନ୍ତ୍ର ଚକୋଲେଟ୍ ଦିଆଯିବ, ଯାହା ଇଣ୍ଡିଆ ଗେଟ୍ ଥିମକୁ ନେଇ ପ୍ରସ୍ତୁତ ହେବ। ଏହା ସହିତ, ମିଠା ଖାଦ୍ୟରେ ତିନୋଟି ଭାରତୀୟ ଏବଂ ତିନୋଟି ଫ୍ରେଞ୍ଚ ମିଠା ରହିବ। ଫ୍ରାନ୍ସର ରାଷ୍ଟ୍ରପତିଙ୍କ ପାଇଁ ‘ଆର୍ଟିଜନଲ ମିନିଏଚର ବ୍ରେଡ’, ‘ଚାରକ୍ୟୁରି ଚିଜ୍ ପ୍ରଡକ୍ଟ’ ଏବଂ ‘ସାମ୍ପେନ୍’ ବିଦେଶରୁ ଅଣା ଯାଇଛି। ଏହି ହୋଟେଲରେ ରହୁଥିବା ଅତିଥିମାନଙ୍କ ପାଇଁ ଗୁଜୁରାଟୀ, ରାଜସ୍ଥାନୀ ଏବଂ ଦେବଭୂମି ଥାଳିର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଅନ୍ୟପକ୍ଷରେ ତାଜ ହୋଟେଲ ନିଜର ଅତିଥିମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରିଛି। ଏହି ହୋଟେଲରେ ରହୁଥିବା ଅତିଥିଙ୍କ ଥାଳିରେ ଭାରତୀୟ ଖାଦ୍ୟ ଦେଖିବାକୁ ମିଳିବ। ନାନ ଖଟାଇ ଏବଂ ଗୁଲକନ୍ଦ ଲଡୁ ସହିତ କାଜୁ କତଲି ଏବଂ ଓଟ୍ସ ମଧ୍ୟ ଏଠାରେ ଅତିଥିମାନଙ୍କୁ ପରିବେଷଣ କରାଯିବ। ଆମିଷ ଖାଉଥିବା ଅତିଥିଙ୍କ ପାଇଁ ଆବଧି ମୁର୍ଗ କୋରମା, ଭୁନା ଗୋସ୍ତ ଏବଂ ହାଇଦ୍ରାବାଦ ଗୋସ୍ତ ବିରିୟାନୀ ମଧ୍ୟ ଏଠାରେ ଅତିଥିମାନଙ୍କ ଥାଳିରେ ପରଷା ଯିବ।

Spread the love