ଜି-୨୦ ଭର୍ଚୁଆଲ ସମ୍ମିଳନୀ: ‘ଏଆଇ’ର ବୈଶ୍ବିକ ନିୟନ୍ତ୍ରଣ ହେଉ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଜି-୨୦ ରାଷ୍ଟ୍ରମାନଙ୍କ ଭର୍ଚୁଆଲ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇସ୍ରାଏଲ-ହମାସ୍‌ ଯୁଦ୍ଧ, ଡିପ୍‌ଫେକ୍‌ ଭିଡିଓ, ଆତଙ୍କବାଦ ମୁକାବିଲା ଆଦି ପ୍ରସଙ୍ଗରେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଡିପ୍‌ଫେକ ଭିଡିଓ ପ୍ରସଙ୍ଗରେ କହିଛନ୍ତି, ବିଶ୍ବ ଏବେ କୃତ୍ରିମ ବୁଦ୍ଧିମତା (ଏଆଇ)ର ନକରାତ୍ମକ ପରିଣାମକୁ ନେଇ ଚିନ୍ତିତ। ଏଆଇକୁ ନେଇ ବୈଶ୍ବିକ ନିୟନ୍ତ୍ରଣ କ୍ଷେତ୍ରରେ ଜି-୨୦ ରାଷ୍ଟ୍ରମାନେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ ହେବ ବୋଲି ସେ କହିଛନ୍ତି। ସମାଜ ଓ ବ୍ୟକ୍ତିଙ୍କ ପାଇଁ ଡିପ୍‌ଫେକ୍‌ କେତେ ବିପଜ୍ଜନକ ତାହାକୁ ହୃଦୟଙ୍ଗମ କରି ଆଗକୁ ବଢ଼ିବାକୁ ହେବ। ଏଆଇ ଲୋକଙ୍କ ପାଖରେ ପହଞ୍ଚିବା ସହ ଏହା ସମାଜ ପାଇଁ ଯେଭଳି ନିରାପଦ ସାବ୍ୟସ୍ତ ହେବ ତାହା ଭାରତ ଚାହୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ଇସ୍ରାଏଲ-ହମାସ୍‌ ଯୁଦ୍ଧରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ନାଗରିକଙ୍କ ମୃତ୍ୟୁ ଯେଉଁଠି ହେଲେ ବି ତାହା ସର୍ବଦା ନିନ୍ଦନୀୟ ବୋଲି ସେକହିଛନ୍ତି। ବଡ଼ ବୈଶ୍ବିକ ଚ୍ୟାଲେଂଜ ପାଲଟିଥିବା ଆତଙ୍କବାଦର ମିଳିତ ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ଆହ୍ବାନ ଦେବା ସହ ଇସ୍ରାଏଲୀ ପଣବନ୍ଦୀଙ୍କୁ ଛାଡ଼ିବା ପାଇଁ ସହମତି ସଂକ୍ରାନ୍ତ ଖବରକୁ ସ୍ବାଗତ କରିଛନ୍ତି। ଆଜି ଜି-୨୦ ସମ୍ମିଳନୀରେ ରୁଷ୍‌ ରାଷ୍ଟ୍ରପତି ଭାଦିମିର ପୁଟିନ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ବୈଠକରେ ଅଂଶଗ୍ରହଣ କରିନଥିଲେ। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ୍‌ଙ୍କ ସମେତ ଅନ୍ୟ ଜି-୨୦ ନେତାମାନେ ଅଂଶଗ୍ରହଣ କରିଥିଲେ।

Spread the love