ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଶ୍ୱନେତା : ଏକାଠି ହେଲେ ଜି-୨୦ ଅତିଥି; ଶେଷ ଦିନରେ ୱାନ ଫ୍ୟୁଚର ଉପରେ ହେବ ଆଲୋଚନା

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବିଶ୍ୱନେତା । ଆଜି ସକାଳୁ ଜି-୨୦ ନେତା ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରାଜଘାଟରେ ପହଞ୍ଚିଥିଲେ । ଜଣେ ପରେ ଜଣେ ନେତା ପହଞ୍ଚିଥିଲେ ବାପୁଙ୍କୁ ସମାଧି ସ୍ଥଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହି ସମସ୍ତ ବିଶ୍ୱନେତାଙ୍କୁ ସ୍ୱାଗତ ଜଣାଇଥିଲେ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କଠାରୁ ଆରମ୍ଭ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପ୍ରମୁଖ ରାଜଘାଟରେ ପହଞ୍ଚିଥିଲେ । ଏହା ସହ ଡବ୍ଲୁଏଚ୍ଓ ଡିଜି, ଆଇଏମଏଫ୍ ନିର୍ଦ୍ଦେଶିକା, ବିଶ୍ୱବ୍ୟାଙ୍କ ଅଧ୍ୟକ୍ଷ ପ୍ରମୁଖ ରାଜଘାଟରେ ପହଞ୍ଚିଥିଲେ । ଏହା ପରେ ସମସ୍ତ ଜି-୨୦ ନେତା ଏକାଠି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଆଜି ରାଜଘାଟରେ ଦେଖିବାକୁ ମିଳିଥିଲା ସାବରମତୀ ଆଶ୍ରମର ପ୍ରତିକୃତି । ରାଜଘାଟର ସ୍ୱାଗତ ସ୍ଥଳରେ ସାବରମତୀ ଆଶ୍ରମର ପ୍ରତିକୃତି କରାଯାଇଥିଲା । ଏହିଠାରେ ଛିଡା ହୋଇ ଜି-୨୦ ନେତାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହ ବିଶ୍ୱ ନେତାଙ୍କୁ ସାବରମତୀ ଆଶ୍ରମର ମହତ୍ୱ ବୁଝାଇଥିଲେ ପ୍ରଧାନମନ୍ତ୍ରୀ । ବିଶେଷ କରି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ସାବରମତୀ ଆଶ୍ରମର ମହତ୍ୱ ପଚାରି ବୁଝିଥିଲେ । କିଛି ସମୟ ଧରି ପ୍ରଧାନମନ୍ତ୍ରୀ ଏ ସଂପର୍କରେ ବୁଝାଇଥିଲେ ।

Spread the love