କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ଗମାଙ୍ଗ ପରିବାର; ଦଳରେ ମିଶିବା ନେଇ ଦେଲେ ସବୁଜ ସଂକେତ

ରାୟଗଡା/ଗୁଣୁପୁର: କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କୁ ଗମାଙ୍ଗ ପରିବାର ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ଗମାଙ୍ଗ ପରିବାର ଦିଲ୍ଲୀରେ ହାଇକମାଣ୍ଡଙ୍କ ସମେତ ଆଗଧାଡିର କଂଗ୍ରେସ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ମିଶିବା ନେଇ ସଂକେତ ଦେଇଥିଲେ। କଂଗ୍ରେସ ବି ଏମାନଙ୍କୁ ପୁଣି କୋଳେଇ ନେବାକୁ ଅନେଇ ବସିଥିବା ଜଣାପଡିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ ଏବଂ ପୁଅ ଶିଶିର ଗମାଙ୍ଗ ନୂଆଦିଲ୍ଲୀରେ ଭେଟି ପ୍ରଭାରୀ ଅଜୟ କୁମାରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ଆସନ୍ତା ତିନି ଚାରି ଦିନ ମଧ୍ୟରେ କଂଗ୍ରେସରେ ସାମିଲ ହେବା ନେଇ ପୁଅ ଶିଶିର ଗମାଙ୍ଗ ପ୍ରକାଶ କରିଛନ୍ତି। ରାୟଗଡାରେ ଗମାଙ୍ଗ ପରିବାର ପୁଣି କଂଗ୍ରେସକୁ ଫେରୁଥିବାରୁ କଂଗ୍ରେସରେ ଆଶାୟୀଙ୍କ ମଧ୍ୟରେ ଏବେ ଭାଳେଣି ପଡିଯାଇଛି। କାହାର ଟିକଟ କଟିବ, କିଏ ଟିକଟ ପାଇବ ସେନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି।

ପ୍ରକାଶ ଥାଉକି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ୮ ଥର ସାଂସଦ ରହିଥିବା ବେଳେ ଥରେ ବିଧାୟକ ହୋଇ ମୁଖ୍ୟମନ୍ତ୍ରୀ ବନିଥିଲେ। ସେହିପରି ପତ୍ନୀ ହେମା ଗମାଙ୍ଗ ଥରେ ବିଧାୟକ ଓ ଥରେ ସାଂସଦ ବନିଥିଲେ। ପୁଅ ଶିଶିର କିନ୍ତୁ ଥରେ କଂଗ୍ରେସ ଓ ଥରେ ବିଜେପିରେ ଛିଡ଼ା ହୋଇ ହାରିଥିଲେ। କଂଗ୍ରେସ ଦଳରେ ସ୍ଥିତି ଠିକ ନଥିବାରୁ କଂଗ୍ରେସ ଛାଡ଼ି ବିଜେପିରେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ ସାମିଲ ହୋଇଥିଲେ। ତେବେ ପୁଣି ବିଜେପି ଛାଡ଼ି ବିଆରଏସରେ ସାମିଲ ହେଲେ। ବିଆରଏସରେ କୌଣସି ଭବିଷ୍ୟତ ନଥିବା ଜାଣିବା ପରେ ଏବେ ପୁଣି ପୁରୁଣା ଘରକୁ ଫେରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

ସେହିପରି ହେମା ମଧ୍ୟ ବିଜେଡିରେ ସାମିଲ ହୋଇ ଲକ୍ଷ୍ମୀପୁର ବିଧାନସଭା ଆସମରେ ଛିଡ଼ା ହୋଇ ହାରିଥିଲେ। ଏବେ ସ୍ବାମୀଙ୍କ ସହ ମିଶି କଂଗ୍ରେସରେ ସାମିଲ ପାଇଁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ସାରିଦେଇଛନ୍ତି। କେବଳ ଔପଚାରିକତା ବାକି ରହିଛି। ରାୟଗଡ଼ାରେ କିନ୍ତୁ ଏହି ପରିବାରକୁ ନେଇ ଗଣତି ଆରମ୍ଭ ହୋଇଛି। ଏହି ଗମାଙ୍ଗ ପରିବାର କଂଗ୍ରେସରେ ସାମିଲ ହୁଅନ୍ତି, ତେବେ କଂଗ୍ରେସ ଏମାନଙ୍କୁ ଟିକଟ ଦେବ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଯଦି ଦେବ ତେବେ ଏହି ପରିବାରର ତିନି ଜଣ କେଉଁ କେଉଁ ଆସନରେ ଛିଡା ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପ୍ରଭାରୀ ଅଜୟ କୁମାର ମୁହଁ ଫେରାଇ ଚାଲିଯାଇଥିବା ପୁରୁଣା କଂଗ୍ରେସ ନେତାଙ୍କୁ ଘରବାହୁଡା କରିବାକୁ ସମସ୍ତ ଆଲୋଚନା ପିସିସି ସହ କରିସାରିଛନ୍ତି। ଓଡ଼ିଶାର ଅନ୍ୟ ନେତାଙ୍କ ସହ ଗମାଙ୍ଗ ପରିବାରର ତିନି ସଦସ୍ୟ କଂଗ୍ରେସର ଉପଢୌକନ ଓ ଫୁଲମାଳ ପିନ୍ଧି ପୁଣି କଂଗ୍ରେସରେ ସାମିଲ କେବେ ହେବେ ଦେଖିବାକୁ ବାକି ରହିଲା।

Spread the love