ଭାରତର ପ୍ରତ୍ୟେକ ଟଙ୍କାରେ ଅଙ୍କିତ ଚିତ୍ରର ରହିଛି ଅନନ୍ୟ କାହାଣୀ, ଜାଣନ୍ତି କି ?

ନୂଆଦିଲ୍ଲୀ ୨।୧୦: ଦୈନିକ କିଣାବିକା ଲାଗି ଆପଣ ଅନେକ ପ୍ରକାରର ମୁଦ୍ରା ଉପଯୋଗ କରିଥାନ୍ତି। ଏଥିରେ କାଗଜ ନୋଟ ଉପଯୋଗ ବେଳେ ଏହା ଉପରେ ଅଙ୍କିତ ଚିତ୍ର ଉପରକୁ କେବେ ଆପଣଙ୍କ ନଜର ଯାଇଛି କି ? ଅନେକଙ୍କ ନଜରରେ ଟଙ୍କାର ଏହି ଛବି ପଡେ ହେଲେ କେହି କେବେ ଏହା ଉପରେ ଗୁରୁତ୍ୱ ଦେଇ ନଥାନ୍ତି। ତେବେ ଭାରତୀୟ ଟଙ୍କାଶାଳ ଦ୍ୱାରା ମୁଦ୍ରିତ ଏହି ସବୁ ନୋଟ ଦେଶର ଗୌରବାବହ ଐତିହ୍ୟ ଓ ସାମ୍ପ୍ରତିକ ଉପଲବ୍ଧିର ଛବି ରହିଛି। ଯାହାର ପ୍ରତ୍ୟେକ ନିଜର ଏକ କାହାଣୀ ବି ଅଛି।

ଏଥିରେ ସର୍ବପ୍ରଥମେ ୧୦୦ ଟଙ୍କା ନୋଟର ଆସନ୍ତୁ ଆଲୋଚନା କରିବା। ଦୈନନ୍ଦିନ ଜୀବନରେ ଏହି ନୋଟର ବହୁଳ ପ୍ରସାର ହୋଇଥାଏ। ଏହି କାଗଜ ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଗୁଜରାଟର ପ୍ରଶିଦ୍ଧ ଷ୍ଟେପ୍‌ ୱେଲ (ଚୁଆ) ରାନୀ କୀ ବାବ୍‌ ଛବି ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜୁଲାଇ ୨୦୧୮ରେ ମୁଦ୍ରିତ ନୋଟ ଗୁଡିକ ଉପରେ ଏହି ଛବି ମୁଦ୍ରିତ କରିଥିଲେ। ୟୁନେସ୍କୋ ବିଶ୍ୱ ଐତିହ୍ୟରେ ଏହି କୂପକୁ ସ୍ଥାନିତ କରିଛନ୍ତି। ଯାହାକୁ ଖ୍ରୀଷ୍ଟପୂର୍ବ ୧୦୬୩ରେ ସୋଲଙ୍କି ରାଜବଂଶର ରାଜା ଭୀମଦେବ ପ୍ରଥମଙ୍କ ସ୍ମୃତିରେ ରାଣୀ ଉଦୟମତୀ ନିର୍ମାଣ କରାଇଥିଲେ।

ରାନୀ କା ବାବ ଭାବେ ଜଣାଶୁଣା ଏହି ଚୂଆଟିର ଦୈର୍ଘ୍ୟ ୬୪ ମିଟର ହୋଇଥିବା ବେଳେ ୨୦ ମିଟର ଚୌଡା ଓ ୨୭ ମିଟର ଗଭୀର। ଏହାକୁ ପ୍ରଥମେ ଅହ୍ନିଲପୁର ଭାବେ ଜଣାଯାଉଥିଲା, ଯାହା ଗୁଜରାଟର ପୂର୍ବତନ ରାଜଧାନୀ ମଧ୍ୟ ଥିଲା। ସେହିପରି ଆରବିଆଇଙ୍କ ୨୦୦ ଟଙ୍କା ନୋଟ୍‌ର ଗୋଟିଏ ପାର୍ଶ୍ୱରେ ସାଞ୍ଚି ସ୍ତୁପ ଅଙ୍କିତ ହୋଇଛି। ଏହି ଶାନ୍ତି ସ୍ତୁପ ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାରେ ରହିଛି। ଏହି ସ୍ତୁପକୁ ସମ୍ରାଟ ଅଶୋକ ନିର୍ମିତ କରାଇଥିଲେ।

୫୦୦ ଟଙ୍କା ନୋଟର ପଛପଟେ ପ୍ରଶିଦ୍ଧ ଲାଲ କିଲ୍ଲାର ଛବି ରହିଛି। ରାଜଧାନୀ ଦିଲ୍ଲୀର ଏହି ଐତିହାସିକ କିଲ୍ଲାରେ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପତକା ଉତ୍ତୋଳନ କରିବା ସହ ଦେଶକୁ ସମ୍ବୋଧିତ କରିଥାନ୍ତି। ୨ହଜାର ଟଙ୍କା ନୋଟର ଗୋଟିଏ ପାର୍ଶ୍ୱରେ ମଙ୍ଗଳଯାନର ଛବି ରହିଛି। ୨୪ ସେପ୍ଟେମ୍ବର ୨୦୧୪ ବୁଧବାର ଭାରତର ମଙ୍ଗଳ ମିସନରେ ଯାଇଥିବା ଅନ୍ତରୀକ୍ଷ ଯାନ ‘ମାର୍ସ ଅର୍ବିଟର ମିସନ’ (ଏମଓଏମ) ସଫଳତାର ସହ ମଙ୍ଗଳର କକ୍ଷପଥରେ ପ୍ରବେଶ କରିଥିଲା।

ଏହି ମିସନ ଲାଗି ଭାରତ ୪୫୦ କୋଟି ଟଙ୍କା ବ୍ୟୟ କରିଥିଲା। ଏହି ମିସନର ସଫଳତା କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶକୁ ଗୌରବାନ୍ୱିତ କରିଥିଲା। ଭାରତ ପୂର୍ବରୁ ଚୀନ୍‌ ଓ ଜାପାନ ମଧ୍ୟ ମଙ୍ଗଳ ମିସନରେ କାମ କରିଥିଲେ। ହେଲେ ଏଥିରେ ସେମାନେ ସଫଳ ହୋଇନଥିଲେ। ବିଶ୍ୱରେ ମଙ୍ଗଳ ମିସନରେ ସଫଳ ହୋଇଥିବା ଦେଶଙ୍କ ସୂଚୀରେ ଭାରତ ତୃତୀୟ ସ୍ଥାନ ହାସଲ କରିଥିଲା।

Spread the love