ଗଣେଶ ପୂଜା ପାଇଁ ହାଇକୋର୍ଟରେ ମାମଲା

କଟକ-ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ବୁଢ଼ା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି। ଏଥିରେ ମୁଖ୍ୟସଚିବ, SRC, ପୁଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମ୍‌ସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଦ୍ୱୈତନଗରୀର ସମସ୍ତ ପୂଜା ମଣ୍ଡପରେ ଗଣେଶ ପୂଜା କରିବା ପାଇଁ ଅନୁମତି ଦେବାକୁ ଅପିଲ କରାଯାଇଛି। ପୂର୍ବରୁ ଦ୍ୱୈତନଗରୀ ମଣ୍ଡପରେ ଗଣେଶ ପୂଜା ବାରଣ କରିଥିଲା କମିଶନରେଟ ପୁଲିସ।ମହାମାରୀ କରୋନା କଟକ-ଭୁବନେଶ୍ୱରରେ ଭୟଙ୍କର ରୂପ ଧାରଣ କରୁଛି। ପ୍ରତିଦିନ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ କଟକ ମହାନଗର ନିଗମ ଓ ଭୁବନେଶ୍ୱର ମହାନଗର ନିଗମ ଚିନ୍ତାରେ ପଡ଼ି ଯାଇଛି। ଏପରି ସମୟରେ ଗଣେଶ ପୂଜା ନକରିବାକୁ କମିଶନରେଟ୍‌ ପୁଲିସ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ପୁଲିସ ଭୁବନେଶ୍ୱର ଓ ଜଟଣୀର କୌଣସି ପୂଜା କମିଟି ସହିତ ଆଲୋଚନା କରିନଥିଲା। ଯାହାକୁ ନେଇ ଗଣେଶ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। କରୋନା ଗାଇଡ୍‌ଲାଇନ୍‌ ଭିତରେ ଗଣେଶ ପୂଜା କରିବାକୁ ପ୍ରଶାସନକୁ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା। ଏବେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Spread the love