ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

ଗାଜିପୁର ୧୬/୦୬ : ଉତ୍ତର ପ୍ରଦେଶ ଗାଜିପୁର ଜିଲ୍ଲାରେ ଗଙ୍ଗା ନଦୀରୁ ଏକ କାଠ ବାକ୍ସରୁ ୨୧ ଦିନର ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ବାକ୍ସରେ ଦେବାଦେବୀଙ୍କ ଫଟୋ ଓ ଜନ୍ମକୁଣ୍ଡଳି ସହ ଶିଶୁଟି ନାଲି ଓଢଣୀରେ ଘୋଡେଇ ହୋଇଥିଲା। ଉଦ୍ଧାର ପରେ ପୋଲିସ ଶିଶୁକୁ ଆଶା ଜ୍ୟୋତି କେନ୍ଦ୍ରକୁ ନେଇଯାଇଥିଲା ଓ ଯାଞ୍ଚ ଆରମ୍ଭ କରିଛି। ମାମଲାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅବଗତ ହୋଇ ତଦନ୍ତ ପାଇଁ କହିଛନ୍ତି। ଅନ୍ୟପକ୍ଷରେ ନବଜାତ ଶିଶୁ କନ୍ୟା ‘ଗଙ୍ଗା’ର ସମ୍ପୂର୍ଣ୍ଣ ଖର୍ଚ୍ଚ ତଥା ଲାଳନପାଳନ ରାଜ୍ୟ ସରକାର ବହନ କରିବେ ବୋଲି ସିଏମ୍ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

ମାତା ଗଙ୍ଗାଙ୍କ କୋଳରେ ମିଳିଥିବା ୨୧ ଦିନିଆ ନିରୀହ ଗଙ୍ଗାର ପାଳନ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଧିକାରୀଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ ନବଜାତର ଭରଣା ପୋଷଣ ଚିଲଡ୍ରେନ ହୋମରେ ସରକାରୀ ଖର୍ଚ୍ଚରେ ଭଲ ଭାବେ କରାଯିବ। ଜିଲ୍ଲା ଅଧିକାରୀଙ୍କ ସମେତ ସମ୍ପୃକ୍ତ ବିଭାଗ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରନ୍ତୁ ବୋଲି ସେ କହିଛନ୍ତି। ଏଥି ସହିତ ନବଜାତ ଶିଶୁକୁ ଉଦ୍ଧାର କରିଥିବା ନାବିକଙ୍କୁ ତୁରନ୍ତ ସରକାରୀ ଆବାସ ସମେତ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମାମଲା ଦଦରୀ ଘାଟର। ଗାଜିପୁର ସଦର ଥାନା ଦଦରୀ ଘାଟରେ ଏକ ନିରୀହ ଶିଶୁ ଗଙ୍ଗା ନଦୀରେ ଭାସୁଥିବା ଏକ କାଠ ବାକ୍ସରୁ ଉଦ୍ଧାର ହୋଇଥିଲା। ଜଣେ ନାବିକ ଗଙ୍ଗା କୂଳରେ ଏକ ବାକ୍ସରୁ ଶିଶୁର କାନ୍ଦିବା ସ୍ୱର ଶୁଣିଥିଲେ। ନାବିକ ପାଖକୁ ଯାଇ ଦେଖିଲେ ବାକ୍ସ ଭିତରୁ କାନ୍ଦିବା ସ୍ୱର ଶୁଭୁଛି। ଏହା ଦେଖି ଘାଟରେ ଉପସ୍ଥିତ ଥିବା ଆଉ କିଛି ଲୋକ ମଧ୍ୟ ସେଠାକୁ ଆସିଥିଲେ। ଲୋକେ ବାକ୍ସ ଖୋଲି ଦେଖିଲେ ଓ ଚକିତ ହୋଇଗଲେ। ବାକ୍ସ ଭିତରେ ଏକ ନିରୀହ ଶିଶୁ କନ୍ୟା କାନ୍ଦୁଥିଲା। ବାକ୍ସ ଭିତରେ ଦେବାଦେବୀଙ୍କ ଫଟୋ ଲାଗିଥିଲା ଓ ଜନ୍ମକୁଣ୍ଡଳୀ ମଧ୍ୟ ଥିଲା। ଏହି ଜନ୍ମ କୁଣ୍ଡଳୀ ଶିଶୁର ହୋଇଥିବ ବୋଲି ଲୋକେ ଆଶଙ୍କା କରିଥିଲେ। ଜଣକୁଣ୍ଡଳୀରେ ଶିଶୁର ନାଁ ‘ଗଙ୍ଗା’ ଲେଖା ହୋଇଥିଲା।

ଶିଶୁଟିକୁ ନାବିକ ନିଜ ଘରକୁ ନେଇଗଲେ। ନାବିକଙ୍କ ପରିବାର ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚାହୁଁଥିଲେ କିନ୍ତୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଟିମ ନାବିକଙ୍କ ଘରେ ପହଞ୍ଚିଥିଲା ଓ ଶିଶୁକୁ ଆଶା ଜ୍ୟୋତି କେନ୍ଦ୍ର ନେଇଯାଇଥିଲା। ଏହି ଆଶା ଜ୍ୟୋତି କେନ୍ଦ୍ରରେ ଶିଶୁର ଲାଳନପାଳନ ହେବ। ଶିଶୁଟି ସମ୍ପୂର୍ଣ ସୁସ୍ଥ ଓ ସୁରକ୍ଷିତ ଅଛି। ଏହିଭଳି ଅବସ୍ଥାରେ ଉଦ୍ଧାର ହୋଇଥିବ ଶିଶୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ଚର୍ଚ୍ଚା ହେଉଛି।

Spread the love