ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ କି ଗାଙ୍ଗୁଲି

ନୂଆଦିଲ୍ଲୀ : କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି କ୍ରିକେଟରେ ୩୦ ବର୍ଷ ପୂରଣ ହେବା ଭିତରେ ଏକ ନୂଆ ଇନିଂସ ଆରମ୍ଭ କରିବେ ବୋଲି ଆଜି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ଯଦିଓ ଗାଙ୍ଗୁଲି ଏ ବିଷୟରେ ସବିଶେଷ କିଛି କହି ନାହାଁନ୍ତି, କିନ୍ତୁ ଖୁବ ଶୀଘ୍ର ସେ ଏ ବିଷୟରେ ସମଗ୍ର ବିଶ୍ୱକୁ ଜଣାଇବେ ବୋଲି ସେ କହିଛନ୍ତି। ଗାଙ୍ଗୁଲିଙ୍କ ଟୁଇଟ ପରେ ସେ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା, କିନ୍ତୁ ଗାଙ୍ଗୁଲି ତାଙ୍କ ପଦରୁ ଇସ୍ତଫା ଦେଇ ନ ଥିବା ବିସିସିଆଇ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି।ଗାଙ୍ଗୁଲି ଟୁଇଟ୍‌ କରି କହିଛନ୍ତି, ୧୯୯୨ରେ ମୁଁ ଜଣେ କ୍ରିକେଟର ଭାବରେ ମୋର ଇନିଂସ ଆରମ୍ଭ କରିଥିଲି। ୨୦୨୨ରେ ଏହା ୩୦ ବର୍ଷ ପୂରଣ କରୁଛି। ଏହି ସମୟ ମଧ୍ୟରେ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମୁଁ ସମସ୍ତଙ୍କର ସମର୍ଥନ ପାଇଛି। ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ଯେଉଁମାନେ ଏହି ଯାତ୍ରାର ଏକ ଅଂଶ ହୋଇଛନ୍ତି, ମୋତେ ସମର୍ଥନ କରିଛନ୍ତି ଏବଂ ଆଜି ମୁଁ ଯେଉଁଠାରେ ଅଛି, ସେଠାରେ ପହଞ୍ଚିବାରେ ସାହାଯ୍ୟ କରିଛନ୍ତ। ଆଜି ମୁଁ ନୂଆ କିଛି ଆରମ୍ଭ କରିବାକୁ ଚିନ୍ତା କରୁଛି ଯାହା ମାଧ୍ୟମରେ ମୁଁ ବହୁ ସଂଖ୍ୟକ ଲୋକଙ୍କୁ ସାହାଯ୍ୟ କରିପାରିବି। ମୁଁ ଆଶା କରେ ଆପଣ ମୋ ଜୀବନର ନୂତନ ଅଧ୍ୟାୟରେ ମଧ୍ୟ ମୋତେ ସାହାଯ୍ୟ କରିବେ।ନିକଟରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ଏହି ଗସ୍ତ ସମୟରେ କୋଲକାତାସ୍ଥିତ ଗାଙ୍ଗୁଲିଙ୍କ ବାସଭବନରେ ଶାହା ରାତ୍ରୀ ଭୋଜନ କରିଥିଲେ। ଏହି ଭୋଜନ ପରେ ଗାଙ୍ଗୁଲି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା।

Spread the love