୧୨ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
ଲମତାପୁଟ, ୧୦|୦୧: କୋରାପୁଟ ପୋଲିସ ପୁଣି ୧୨ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛି । ପ୍ରାୟ ୧୪ ହଜାର ୪ଶହ ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । କୋରାପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ବଡ ପଦକ୍ଷେପ ନେଇଛି ।
ମାଓ ପ୍ରଭାବିତ ପାଡୁଆ ଥାନା ଏବଂ ମାଛକୁଣ୍ଡ ଥାନା ଅଞ୍ଚଳରେ ଥିବା ଆନ୍ଧ୍ର ସୀମାନ୍ତବର୍ତ୍ତୀ ବିଭିନ୍ନ ଗ୍ରାମରେ ପ୍ରଥମ ଥର ଲଗାତାର ଭାବରେ ୪ ଦିନ ଧରି ଚାଲିଛି ଅପରେସନ୍ ଗ୍ରୀନ କ୍ଲିନ୍ । ମାଛକୁଣ୍ଡ ଥାନା ଅନ୍ତର୍ଗତ ମାଓ ପ୍ରଭାବିତ ଅଞ୍ଚଳ କଣ୍ଟା ଏବଂ ହନୁମଞ୍ଜର ଗ୍ରାମ ନିକଟ ଜଲାପୁଟ ନଦୀ କୂଳରେ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ପୂର୍ବରୁ ପୋଲିସ ସେଠାକୁ ପହଞ୍ଚି ପାରୁ ନଥିଲା । ଏହାର ସୁଯୋଗ ନେଇ ବେଆଇନ ଭାବରେ ବେଧଡକ ସବୁଜ ଜହର ଚାଷ ବଢ଼ି ଚାଲିଥିଲା ।
ତେବେ ମାଛକୁଣ୍ଡ ଓ କୋରାପୁଟ ପୋଲିସ ଡି.ବି. ଏଫ, ଅବକାରୀ, ବନ ବିଭାଗ ଏବଂ ଏଗଜ୍ୟୁକେଟିଭ୍ ମାଜିଷ୍ଟେଟ୍ ଙ୍କ ଉପସ୍ଥିତିରେ ୧୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଏପରି ଭାବେ ନନ୍ଦପୁର ଏବଂ ଲମତାପୁଟ ବ୍ଲକରେ ଚଳିତବର୍ଷ ପ୍ରାୟ ୭୦୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ।