ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୨୮।୦୩ : କୋରାପୁଟ ଜିଲ୍ଲା ପାଡୁଆ ପୋଲିସକୁ ପୁଣି ସଫଳତା । ଗୋଟିଏ ରାତିରେ ଦୁଇଟି ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ସଫଳ ହୋଇଛି ପାଡୁଆ ପୋଲିସ । ବାହାର ରାଜ୍ୟକୁ ଚାଲାଣ ବେଳେ ମାଡିବସିଲା ପୋଲିସ । ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଖବର ଅନୁଯାୟୀ, ପାଡୁଆ ଅଞ୍ଚଳରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ପାଇଁ ନୁଆଁପୁଟ ଗାଁ ମୁଖ୍ୟ ରାସ୍ତା କଡ଼ରେ ଗଛିତ ରଖା ଯାଇଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ । ପୋଲିସକୁ ଦେଖି ରାସ୍ତା କଡ଼ରେ ଗଛିତ ଥିବା ଗଞ୍ଜେଇ ଛାଡ଼ି ମାଫିଆ ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରୁ ୬ଟି ବସ୍ତାରେ ଥିବା ଏକ କ୍ବିଣ୍ଟାଲ ରୁ ଅଧିକା ଗଞ୍ଜେଇ ଜବତ ହୋଇଛି। ଯାହାର ମୂଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ।

ସେହିପରି ଭୋରରୁ ପାଟ୍ରୋଲିଂ ବେଳେ ରାଇସିଂ ଗାଁ ନିକଟରେ ଏକ କାରକୁ ଅଟକାଇଥିଲା ପାଡୁଆ ପୋଲିସ । ଯାଞ୍ଚ ବେଳେ କାରରୁ ୩ ଟି ବସ୍ତାରୁ ପ୍ରାୟ ୩୦ କେଜି ଗଞ୍ଜେଇ ମିଳିଛି । କାରରେ ଥିବା ଦୁଇ ଗଞ୍ଜେଇ ମାଫିଆ ସହ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏହି ଗଞ୍ଜେଇ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ପାଡୁଆ ଅଞ୍ଚଳ ରୁ ଝାଡ଼ଖଣ୍ଡ ଚୋରା ଚାଲାଣ ହେଉଥିବା ଜଣାପଡିଛି ।

Spread the love