ଅର୍ଥ ନେଇ ଗ୍ରାହକଙ୍କୁ ଗାଡି ଦେଉନାହିଁ ଗାର୍ଗସନ ଅଟୋ ହ୍ବିଲ୍ସ ସଂସ୍ଥା

ଭୁବନେଶ୍ୱର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଗାର୍ଗସନ ଅଟୋହ୍ବିଲ୍ସ ପ୍ରା. ଲିଃ ସଂସ୍ଥା ଜଣେ ଗ୍ରାହକଙ୍କଠାରୁ ଏକ କାର ଦେବା ବାବଦ ଅର୍ଥ ନେଇସାରିବା ପରେ କାର ନ ଦେବାରୁ ଗ୍ରାହକ ବନ ବିହାରୀ ସେଠୀ ଖାଉଟି ଅଦାଲତର ଦ୍ବାରସ୍ଥ ହେବା ସହ ସମ୍ପୃକ୍ତ ସଂସ୍ଥା ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିଛନ୍ତି।
ପ୍ରକାଶ ଯେ ଖୋର୍ଦ୍ଧା ଜିଲା ଗୋପୀନାଥପୁର ନଖାଉର ଗ୍ରାମର ବନ ବିହାରୀ ସେଠୀ୨୦୨୩ ମେ ୧୧ ତାରିଖରେ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଥିବା ଗାର୍ଗସନ ଅଟୋହ୍ବିଲ୍ସ ପ୍ରାଇଭେଟ ଲିମିଟେଡରେ ଏକ ଟୟୋଟା ଅର୍ବାନ କ୍ରୁଇଜର ଗାଡି ବୁକ କରିଥିଲେ। ଏଥିପାଇଁ ଆବଶ୍ୟକ ଔପଚାରିକତା ପୂରଣ କରିବା ସହ ବୁକିଂ ବାବଦ ଅର୍ଥ ୨୫ହଜାର ଟଙ୍କା ପ୍ରଦାନ କରିଥିଲେ। ୧୫ତାରିଖ ସୁଦ୍ଧା ସେ ବୁକିଂ କରିଥିବା କାର ତାଙ୍କୁ ମିଳିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଥିଲା ଏବଂ ଏଥିପାଇଁ କାଗଜପତ୍ର ଏବଂ ଆର୍ଥିକ ଔପଚାରିକତା ପୂରଣ କରିବାକୁ କୁହାଯାଇଥିଲା। ଶ୍ରୀ ସେଠୀ ସଂସ୍ଥା ପକ୍ଷରୁ ଆବଶ୍ୟକତା ଥିବା ଔପଚାରିକତାକୁ ପୂରଣ କରିଥିଲେ ମଧ୍ୟ ୧୫ ତାରିଖରେ ତାଙ୍କୁ କାର ହସ୍ତାନ୍ତର କରାଯାଇ ନ ଥିଲା। ଏହାପରେ ସଂସ୍ଥାର ଦାବି ମୁତାବକ ୮ଲକ୍ଷ ୫୫ ହଜାର ଟଙ୍କା ଶ୍ରୀ ସେଠୀ ଆରଟିଜିଏସ ମାଧ୍ୟମରେ ୨୨ ତାରିଖରେ ପୈଠ କରିଥିଲେ ମଧ୍ୟ କାର ମିଳି ନ ଥିଲା। ଶ୍ରୀ ସେଠୀ ବାରମ୍ବାର ଅଭିେଯାଗ କରିବା ପରେ ୩୧ ତାରିଖରେ କାର ଦିଆଯିବ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ ଆଶ୍ବାସନା ଦିଆଯାଇଥିଲା। ଏହାପରେ ମଧ୍ୟ ଶ୍ରୀ ସେଠୀ କାର ପାଇ ନ ଥିଲେ। ଟଙ୍କା ନେଇ ସମ୍ପୃକ୍ତ ସଂସ୍ଥା ତାଙ୍କୁ ଠକିବାକୁ ଉଦ୍ୟମ କରୁଥିବା ଅନୁଭବ କରି ସେ ଆଇନର ଆଶ୍ରୟ ନେଇଥିଲେ। ନିଜ ଓକିଲଙ୍କ ଜରିଆରେ ସମ୍ପୃକ୍ତ ସଂସ୍ଥାକୁ ଜୁଲାଇ ୧ରେ ନୋଟିସ ଜାରି କରିବା ସହ ନୋଟିସ ପାଇବାର ଦୁଇଦିନ ମଧ୍ୟରେ କାର ଦେବାକୁ କହିଥିଲେ। ମାତ୍ର ସମ୍ପୃକ୍ତ ସଂସ୍ଥା ଆଜିଯାଏ କାର ହସ୍ତାନ୍ତର କରୁନାହିଁ କି ସେ ପୈଠ କରିଥିବା ଅର୍ଥ ଫେରସ୍ତ କରୁନାହିଁ। ଶ୍ରୀ ସେଠୀ ବ୍ୟାଙ୍କ ଋଣ କରି ଅର୍ଥ ପୈଠ କରିଥିଲେ ମଧ୍ୟ କାର ବ୍ୟବହାର ନ କରି କିସ୍ତି ଓ ସୁଧ ପୈଠ କରୁଛନ୍ତି। ତାଙ୍କ ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନୁହେଁ ଯେ ସେ ଆଉ ଏକ କାର କିଣିବେ।

Spread the love