ଗୁଜରାଟ ବିଧାନସଭା ନିର୍ବାଚନ: ପ୍ରଚାର ଲାଗି ଗାଁ ଗାଁରେ ଇ-ବାଇକ୍ ବାଣ୍ଟୁଛି ବିଜେପି, ବାହାରୁଛି ଗୌରବ ଯାତ୍ରା

ରାଜକୋଟ ୯।୧୧: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣାକୁ ପାଖାପାଖି ସପ୍ତାହେ ବିତିଗଲାଣି। ରାଜ୍ୟରେ ନିର୍ବାଚନୀ ମାହୋଲ ଉଷ୍ମ ହେଉଥିବା ବେଳେ ବିଜେପି, କଂଗ୍ରେସ, ଆପ୍ ସମେତ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ପ୍ରଚାର ଆରମ୍ଭ କରିଦେଲେଣି। ତେବେ ଶାସକ ବିଜେପି ରାଜ୍ୟରେ ଚଳିତ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଭିନ୍ନ ଢଙ୍ଗରେ କରୁଛି। ବିଜେପି ସବୁ ବିଧାନସଭା ନିର୍ବାଚନମଣ୍ଡଳିରେ ଗୌରବ ଯାତ୍ରା କରୁଥିବା ବେଳେ ଏହି ଯାତ୍ରା ଲାଗି ଇଲେକ୍ଟ୍ରିକ ବାଇକ୍ ବ୍ୟବହାର କରୁଛି।

ଗେରୁଆ ରଙ୍ଗର ଏହି ଇଲେକ୍ଟ୍ରିକ୍ ବାଇକ୍ ପଛରେ ଏଲଇଡି ସ୍କ୍ରିନ ଲଗାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ଏହା ଛଡା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗୁଜରାଟରେ କରାଯାଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସୂଚନା ଦିଆଯାଉଛି। ଲୋକଙ୍କ ପର୍ଯ୍ୟନ୍ତ ନିଜର କଥା ପହଞ୍ଚାଇବା ଲାଗି ପାର୍ଟି ଏବେ ରାଜକୋଟର ସବୁ ବିଧାନସଭା ନିର୍ବାଚନଣ୍ଡଳିରେ କାର୍ଯ୍ୟକର୍ତ୍ତାଙ୍କୁ ଇ-ବାଇକ୍‌ ବଣ୍ଟନ କରିଛି।

ଏହି ବାଇକ୍‌ର ରଙ୍ଗ ପାର୍ଟିର ରଙ୍ଗ ପରି ଗେରୁଆ ହୋଇଥିବା ବେଳେ ଦଳୀୟ ନିର୍ବାଚନୀ ସଂକେତ ମଧ୍ୟ ରହିଛି।  ଇ-ବାଇକ୍ ପଛପଟେ ଲାଗିଥିବା ବ୍ୟାଟେରୀରେ ଏଲଇଡି ସ୍କ୍ରିନ ମଧ୍ୟ ଚଳା ଯାଇ ପାରୁଛି। ଏହା ମାଧ୍ୟମରେ ଯେଉଁ ସବୁ ଯୋଜନାର ପ୍ରଚାର କରାଯାଉଛି ସେଥିରେ ପ୍ରଧାନମନ୍ତ୍ରୀ ଜୟ ଯୋଜନା, ବିଧବା ସହାୟତା ଯୋଜନା ସମେତ ଚାଷୀଙ୍କ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲାଗୁ ଯୋଜନାର ମଧ୍ୟ ପ୍ରଚାର କରାଯାଉଛି। ବିଜେପି ଗୌରବ ଯାତ୍ରାରେ ‘ବିଶ୍ୱାସରେ ବିଜେପି ସରକାର’ ସ୍ଲୋଗାନ ଦେଉଛି।

ଗତବିଧାନସଭା ନିର୍ବାଚନରେ ‘ବିଜେପି ସହିତ ଗୁଜରାଟ’ ସ୍ଲୋଗାନ ଦେଇଥିଲା। ସେହିପରି ୨୦୧୭ ବିଧାନସଭା ନିର୍ବାଚନରେ ‘ମୁଁ ବିକାଶ ..ମୁଁ ଗୁଜରାଟର’ ସ୍ଲୋଗାନ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଲାଗି ଗେଜେଟ୍ ନୋଟିଫିକେସନ ନଭେମ୍ବର ୫ ତାରିଖରେ ଜାରି ହୋଇଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ନଭେମ୍ବର ୧୦ ତାରିଖରେ ଗେଜେଟ ନୋଟିଫିକେସନ ବାହାରିବ।

Spread the love