୮୪ ତମ ଗୌରୀଶଙ୍କର ଜୟନ୍ତୀ ପାଳିତ

ଭୁବନେଶ୍ବର ୧୩-୭/ ଆଜି ପୂର୍ବାହ୍ନ ଆଠ ଘଟିକା ସମୟରେ ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ତରଫରୁ କର୍ମବୀର ଗୌରୀଶଙ୍କର ରାୟଙ୍କ ୮୪ ତମ ସ୍ଵନକ୍ଷତ୍ର ଦିବସ ପାଳନ କରାଯାଇଅଛି।ପି ଏମ ଜି ଛକ ଠାରେ ଅବସ୍ଥିତ ଏହି ପୁଣ୍ୟାତ୍ମା ଙ୍କର୍ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ସର୍ବ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପୂଣ୍ୟ ପୁରୁଷ କର୍ମବୀର ଗୌରୀ ଶଙ୍କର ଥିଲେ ଓଡ଼ିଆ ଭାଷା,ସାହିତ୍ୟ, ସଂସ୍କୃତିର ଅନ୍ୟତମ ପ୍ରାଣ ପ୍ରତିଷ୍ଠାତା।ସେ ଭାଷା ର ଦୁର୍ଦ୍ଦିନ କାଳରେ ନିଜେ ସମବାୟ ଭିତ୍ତିରେ ଛାପାଖନ ପ୍ରତିଷ୍ଠା କଲେ, ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ର ସେ ଥିଲେ ମୂଖ୍ୟ ବିନ୍ଧାଣୀ।ପୁରାଣ ମାନଙ୍କୁ ପୁନର୍ବାର ଓଡ଼ିଆ ଭାଷା ରେ ଛପାଇ ସେ ଗାଁ ଗହଳି ରେ ଏହାକୁ ଜନାଦୃତ କରିଦେଲେ।ତତ୍କାଳୀନ ପ୍ରଶାସକ ତଥା ସଂସ୍କୃତି ଗବେଷକ ଜନ୍ ବିମ୍ ଙ୍କୁ ସେ ଉତ୍କଳ ର ମହାନ ପୁରାତନ ସାହିତ୍ୟ ର ବିବିଧ ବିରଳ ଗ୍ରନ୍ଥ ର ଅନାଲୋଚିତ ଦିଗ ସମ୍ବନ୍ଧ ରେ ଅବଧାରଣା ଦେବାର ସାହସ କରି ଓଡିଆ ଭାଷା ର ଦୃଢ଼ ବୁନିଆଦି ଉପରେ ଯୁକ୍ତି ରଖିଥିଲେ।

ନବଉତ୍କଳ ନିର୍ମାଣ ର ସେ ଥିଲେ ଆଦ୍ୟ ସ୍ଥପତି କହିଲେ ଅତ୍ୟୁକ୍ତି ହେବନାହିଁ,କାରଣ ସେ ରାଧାନାଥ ରାୟ, , ବୈକୁଣ୍ଠ ନାଥ ଦେ, ମଧୁସୂଦନ ଦାସଙ୍କର ବାଲ୍ୟଗୁରୁ।ଏ ଜାତିର ଭାଷା, ସଂସ୍କୃତି ତଥା ଅସ୍ମିତା ର ଗରିମା ରକ୍ଷା କରିବା ରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ ବୋଲି ସଭାରେ ମୁଖ୍ୟଅତିଥି ଭାବେ ସମ୍ବାଦ ର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ତଥା ମୁଖ୍ୟବକ୍ତା ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମତ ପ୍ରକାଶ କରିଥଲେ ଏବଂ ଏହି ସଭାରେ ଭୁବନେଶ୍ବର ମହାନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ, ବିଧାୟକ ମୌଶଧି ବାଗ , ବିଜେଡି ସାଂସ୍କୃତିକ ସମନ୍ଵୟ ସାମ୍ମୁଖ୍ୟ ର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି ମଧ୍ୟ କର୍ମବୀର ଗୌରୀଶଙ୍କର ରାୟଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କର୍ମବୀର ଗୌରୀଶଙ୍କର ରାୟ ସ୍ମୃତି ସଂସଦ ତରଫରୁ ଉଦୟ ଶଙ୍କର ରାୟ,ବିଶ୍ୱଜିତ୍ ବୋଷ, ଡ. ଜୀବନ ଦିକ୍ଷୀତ,ଲକ୍ଷ୍ମୀଧର ବେହେରା, ସତ୍ୟବ୍ରତ ଜେନା,କଳ୍ପତରୁ ସେନାପତି,ବାବାଜୀ ଚାନ୍ଦ,ମନୋଜ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ମାନସ ନାୟକ ଆଜିର ଦିବସ ର ବିଶିଷ୍ଟ ସ୍ବେଛାସେବୀ ଭାବ ରେ ସମ୍ବର୍ଦ୍ଧିତ କର ଯାଇଥିଲା।

Spread the love