ଦୁନିଆର ଚତୁର୍ଥ ସବୁଠୁ ବଡ଼ ଧନୀ ବ୍ୟକ୍ତି ପାଲଟିଲେ ଗୌତମ ଅଦାନୀ

ନୂଆଦିଲ୍ଲୀ: ଗୌତମ ଅଦାନୀ ସଂପ୍ରତି କେବଳ ଭାରତ କି ଏସିଆର ସବୁଠୁ ବଡ ଧନୀ ବ୍ୟକ୍ତି ନୁହନ୍ତି ବରଂ ସେ ଏବେ ଦୁନିଆର ଚତୁର୍ଥ ସବୁଠୁ ବଡ ଧନୀ ବ୍ୟକ୍ତି ପାଲଟିଛନ୍ତି। ତାଙ୍କ ସଂପତ୍ତିର ମୂଲ୍ୟ ମାଇକ୍ରୋସଫ୍ଟର ବିଲ୍ ଗେଟ୍ସଙ୍କ ସଂପତ୍ତି ସହ ସମାନ ହୋଇ ଯାଇଛି।

ବ୍ଲୁମର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଅଦାନୀ ଏବଂ ବିଲ ଗେଟ୍ସ ଉଭୟଙ୍କ ସଂପତ୍ତି ୧୨୫ ଅରବ ଡଲାରରେ ପହଞ୍ଚିଛି। ଏବେ ଅଦାନୀ ସବୁଠୁ ଧନୀ ବ୍ୟକ୍ତି ତାଲିକାରେ ମୁକେଶ ଅମ୍ବାନୀ, ଓ୍ଵାରେନ ବଫେଟ, ଗୁଗଲର ସହ ସଂସ୍ଥାପକ ଲାରି ପେଜ ଏବଂ ସର୍ଗେ ବିନଙ୍କୁ ପଛରେ ପକାଇଛନ୍ତି।

ଫୋର୍ବସର ରିୟଲ ଟାଇମ ବିଲେନିୟର ଇଣ୍ଡେକ୍ସ ହିସାବରେ ଗୌତମ ଅଦାନୀ ପଞ୍ଚମ ସବୁଠୁ ଧନୀ ବ୍ୟକ୍ତି। ଏହି ତାଲିକାରେ ସେ ବିଲ୍ ଗେଟ୍ସଙ୍କଠୁ ବାସ୍ କିଛି ପଛରେ ଅଛନ୍ତି। ଏହି ସଂସ୍ଥା ଅନୁଯାୟୀ, ଅଦାନୀଙ୍କ ମୋଟ୍ ସଂପତ୍ତିର ମୂଲ୍ୟ ୧୨୯ ଅରବ ଡଲାର ରହିଥିବା ବେଳେ ବିଲ୍ ଗେଟ୍ସଙ୍କ ସଂପତ୍ତି ୧୨୯.୪ ଡଲାର।

ଗୋଟିଏ ଦିନରେ ୬ ଅରବ ଡଲାର ବଢିଲା ସଂପତ୍ତି

ମାତ୍ର ଗୋଟିଏ ଦିନରେ ଗୌତମ ଅଦାନୀଙ୍କ ସଂପତ୍ତିରେ ୬.୩ ଅରବ ଡଲାର ବୃଦ୍ଧି ଘଟିଛି। ଏହି ପରି କେବଳ ୨୦୨୨ରେ ଅଦାନୀଙ୍କ ସଂପତ୍ତିରେ ୪୮.୩ ଅରବ ଡଲାର ବୃଦ୍ଧି ଘଟିଛି। ୨୦୨୧ ଶେଷ ଆଡକୁ ଗୌତମ ଅଦାନୀଙ୍କ ସଂପତ୍ତି ୭୬.୭ ଅରବ ଡଲାର ଥିଲା। ତେବେ ପରବର୍ତ୍ତୀ ସମୟରେ ଅଦାନୀ ଗ୍ରୁପର ସେୟାରର  ଚାହିଦା ବଢିବାରେ ଲାଗିଛି। ଗତ ଦୁଇ ଦିନରେ ଅଦାନୀଙ୍କ ଦୁଇ କମ୍ପାନୀ ଅଦାନୀ ପାଓ୍ଵାର ଏବଂ ଅଦାନୀ ଓ୍ଵିଲମର ଉଭୟଙ୍କ ସେୟାରରେ ଲଗାତାର ବଢି ଚାଲିଛି।

ଶୀଘ୍ର ହୋଇ ପାରନ୍ତି ତୃତୀୟ ସବୁଠୁ ବଡ ଧନୀ

ଅରବପତିଙ୍କ ତାଲିକାରେ ଅଦାନୀଙ୍କ ଏବେ ଆଗରେ ଅଛନ୍ତି ଏଲନ ମସ୍କ, ଜେଫ ବେଜୋସ, ବର୍ଣ୍ଣାଲ୍ଡ ଆରନଲ୍ଟ ଏବଂ ବିଲ୍ ଗେଟ୍ସ। ମାତ୍ର ଏହି ସବୁ ଧନୀ ବ୍ୟକ୍ତିଙ୍କ ସଂପତ୍ତିରେ ଲଗାତାର ହ୍ରାସ ଦେଖିବାକୁ ମିଳିଛି ଅର୍ଥାତ ରେଡ୍ ଜୋନରେ ଅଛନ୍ତି। ଅନ୍ୟପଟେ ଅଦାନୀଙ୍କ ସଂପତ୍ତି ହୁ ହୁ ହୋଇ ବଢିବାରେ ଲାଗିଛି ଏବଂ ସେ ଗ୍ରୀନ ଜୋନରେ ଅଛନ୍ତି। ଯଦି ଅଦାନୀଙ୍କ ସଂପତ୍ତି ଏହି ଗତିରେ ବଢିଚାଲେ, ତେବେ ସେ ଖୁବ୍ ଶୀଘ୍ର ଦୁନିଆର ତୃତୀୟ ଧନୀ ବ୍ୟକ୍ତି ହୋଇଯିବେ।

Spread the love