କବି ଡ. ଗାୟତ୍ରୀବାଳା ପଣ୍ଡାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୨୨/୨୨: ବିଶିଷ୍ଟ କବି ଡ. ଗାୟତ୍ରୀବାଳା ପଣ୍ଡା  କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ତାଙ୍କ କବିତା ସଙ୍କଳନ ‘ଦୟାନଦୀ’ ପାଇଁ ସେ ଏହି ସମ୍ମାନଜନକ ପୁରସ୍କାର ପାଇବେ । ଗୁରୁବାର ଏକାଡେମୀ ପକ୍ଷରୁ ଏହି ଘୋଷଣା କରାଯାଇଛି । ୨୦୧୭ ମସିହାରେ ପ୍ରକାଶିତ ‘ଦୟାନଦୀ’ କବିତା ସଙ୍କଳନ  ପାଠକଙ୍କ ଆଦୃତି ଲାଭ କରିଥିବାବେଳେ ନିକଟରେ ରାଜକମଲ ପ୍ରକାଶନୀ ଦ୍ୱାରା ଏହାର ହିନ୍ଦୀ ଅନୁବାଦ ପ୍ରକାଶ ପାଇଥିଲା । 
୧୯୭୭ ମସିହାରେ ଜନ୍ମିତ ଗାୟତ୍ରୀବାଳା ଏକାଧାରରେ ଜଣେ ସାମ୍ବାଦିକ, କବି, ଗାଳ୍ପିକ ଓ ଔପନାସିକ । ତାଙ୍କର ପ୍ରମୁଖ କବିତା ସଙ୍କଳନ ମଧ୍ୟରେ ରହିଛି ଆହତ ପ୍ରତିଶ୍ରୁତି (୨୦୦୧), ଅସ୍ପଷ୍ଟ ଈଶ୍ୱର(୨୦୦୨), ଅଣାୟତ୍ତ (୨୦୦୬), ଗାଁ(୨୦୦୮), ଯେତିକି ଦିଶୁଛି ଆକାଶ(୨୦୧୧), ଆଖି ନାଇଁ କାନ ନାଇଁ (୨୦୧୩), ଏ ରାତିର ଯେତେ ତାରା (୨୦୧୪), ବାଘ(୨୦୧୫), ଦୟାନଦୀ (୨୦୧୭), ମହେଞ୍ଜୋଦାର(୨୦୧୮), ନିର୍ବାଚିତ କବିତା (୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨)। ବିସର୍ଜନ (୨୦୧୫), ନିଜକୁ ନେଇ ସତ ଗପ(୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଙ୍କଳନ ଏବଂ ମମି ଯାହା ଜାଣେନାହିଁ (୨୦୧୬) ନାଁରେ ଏକ ଉପନ୍ୟାସ ମଧ୍ୟ ରହିଛି। ତାଙ୍କର ଦୁଇଟି କବିତା ଇଂରାଜୀରେ ଏବଂ ୪ ଟି କବିତା ହିନ୍ଦୀରେ ଅନୁବାଦିତ ହୋଇଛି ।
୨୦୧୧ ମସିହାରେ ତାଙ୍କୁ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ମିଳିଥିଲା। ଏହାପୂର୍ବରୁ ୨୦୦୦ ମସିହାରେ ରାଜ୍ୟ ଯୁବ ପୁରସ୍କାର, ୨୦୦୩ ରେ କାଦମ୍ବିନୀ କବିତା ସମ୍ମାନ. ୨୦୧୧ ରେ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ, ୨୦୧୫ ରେ ଦୀପକ ମିଶ୍ର କବିତା ସମ୍ମାନ ମିଳିଥିଲା । ୨୦ ରୁ ଅଧିକ ଅନୁଷ୍ଠାନରୁ ସେ ସମ୍ମାନ ଓ ପୁରସ୍କାର ପାଇଛନ୍ତି ।
Spread the love