ଦଶମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଠାଇ କରିଥିଲେ ପ୍ରେମ ନିବେଦନ, ବନ୍ଧା ହେଲେ ଭୂଗୋଳ ଶିକ୍ଷକ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଜରେ ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ସ୍କୁଲ ଛାତ୍ରୀଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗରେ କମିସନରେଟ ପୁଲିସ ରସିକିଆ ଭୂଗୋଳ ଶିକ୍ଷକଙ୍କୁ ବାନ୍ଧିଛି। ଭରତପୁର ଥାନାରେ ଛାତ୍ରୀଙ୍କ ପରିବାର ଲିଖିତ ଅଭିଯୋଗ କରିବା ପରେ ଭୂଗୋଳ ଶିକ୍ଷକ କାଳୁଚରଣ ବଡଜେନାଙ୍କୁ ଗିରଫ ହୋଇଛନ୍ତି।

ଭୁବନେଶ୍ୱର ଭରତପୁରସ୍ଥିତ ଏକ ସ୍କୁଲର ଶିକ୍ଷକ କାଳୁଚରଣ ବଡଜେନା ସ୍କୁଲରେ ଛାତ୍ରୀଙ୍କୁ ପଢାଇବା ବଦଳରେ ଏକତରଫା ପ୍ରେମ କରି ଫସିଛନ୍ତି। ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ କମିଓନରେଟ ପୁଲିସ ବାନ୍ଧିଛି । ଅଭିଯୋଗ ଅନୁସାରେ, ଦୀର୍ଘ ଏକମାସ ଧରି ନାବାଳିକାକୁ ସେ ପ୍ରେମ ପ୍ରସ୍ତାବ ଦେଇଆସୁଥିଲେ। ଏଭଳିକି ନାବାଳିକାରଙ୍କୁ ଅଶ୍ଲୀଳ ଇଙ୍ଗିତ ତଥା ଫଲୋ କରି ହଇରାଣ ମଧ୍ୟ କରୁଥିଲେ। ପ୍ରାଥମିକ ତଦନ୍ତ ଆଧାରରେ ଜଣାପଡିଛି, ଏକମାସ ହେବ ଛାତ୍ରୀଜଣଙ୍କୁ ବାରମ୍ବାର ପାର୍କକୁ ଡାକୁଥିଲେ। ଅଶ୍ଲୀଳ ଇଙ୍ଗିତ ସହ ଅସଦାଚରଣ କରୁଥିଲେ। ସ୍କୁଲ ବେଞ୍ଚରେ ଅସଭ୍ୟ ଭାଷାରେ ଲେଖିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରୀ।

ଭୂଗୋଳ ଶିକ୍ଷକଙ୍କ କାରନାମା ଏତିକିରେ ସରିନଥିଲା । ସଂପୃକ୍ତ ଛାତ୍ରୀଙ୍କୁ ସ୍କୁଲ ଟେଷ୍ଟ ପରୀକ୍ଷା ପ୍ରଶ୍ନପତ୍ର ଦେଇଥିଲେ ଭୂଗୋଳ ଶିକ୍ଷକ। ଆଉ ବଦଳରେ ଛାତ୍ରୀଙ୍କୁ ଫାଇଦା ଦେବାକୁ କହିଥିବା ବି ଅଭିଯୋଗ ହୋଇଛି। ବର୍ତ୍ତମାନ ଗିରଫ ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। କିନ୍ତୁ ଅଭିଯୁକ୍ତ ଶିକ୍ଷକ କାଳୁଚରଣ ବଡଜେନା ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତେବେ ବର୍ତମାନ ଘଟଣାର ତଦନ୍ତ ଚାଲିଛି । ଆଉ ଏହାପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅଭିଯୋଗ ପରେ ସଂପୃକ୍ତ ସ୍କୁଲର ପ୍ରଧାନଶିକ୍ଷକ ଓ ସମ୍ପାଦକଙ୍କୁ ଡାକି ପଚରାଉଚରା କରିଛି ପୁଲିସ।

Spread the love