ବିଦାୟୀ ଫର୍ଣ୍ଣାଣ୍ଡିଜ୍‌ଙ୍କ ସଫଳ ଯାତ୍ର…

ସମତା ପାର୍ଟିର ପ୍ରତିଷ୍ଠାତା ତଥା ଦେଶର ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କର ଆଜି ସକାଳେ ପରଲୋକ ଘଟିଛି। ତାଙ୍କୁ 88 ବର୍ଷ ହୋଇଥିଲା। ଫର୍ଣ୍ଣାଣ୍ଡିଜ୍‌ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଏବଂ ନିକଟରେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେବାପରେ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା।

ନିଜର ଲମ୍ବା ରାଜନୈତିକ କ୍ୟାରିଅର୍‌ରେ ସେ ପ୍ରତିରକ୍ଷା ଏବଂ ରେଳ ମନ୍ତ୍ରାଳୟ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ବ ନିର୍ବାହ କରିଥିଲେ। ଫର୍ଣ୍ଣାଣ୍ଡିଜ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସମେତ ବିଭିନ୍ନ ଦଳର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।
ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ଫର୍ଣ୍ଣାଣ୍ଡିଜ୍‌ଙ୍କର ଭାରତୀୟ ରାଜନୀତିରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଯୋଗଦାନ ରହିଥିଲା। ଜରୁରୀ ପରିସ୍ଥିତି ବିରୋଧରେ ଜୋର୍‌ଦାର ସ୍ବର ଉତ୍ତୋଳନ କରି ସେ ଭାରତୀୟ ରାଜନୀତିରେ ଚର୍ଚ୍ଚିତ ଚେହେରା ପାଲଟିଥିଲେ। କେନ୍ଦ୍ରରେ 1977ରେ ମୋରାରଜୀ ଦେଶାଇ ସରକାରରେ ତାଙ୍କୁ ଉଦ୍ୟୋଗ ମନ୍ତ୍ରୀ ପଦ ମିଳିଥିଲା। ଏହାପରେ 1989ରେ ଭିପି ସିଂହଙ୍କ ସରକାରରେ ମଧ୍ୟ ସେ ରେଳ ମନ୍ତ୍ରୀ ରହିଥିଲେ।

ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବରେ 1998ରେ ଏନ୍‌ଡିଏ ସରକାର ଗଠନ ହେବା ପରେ ଫର୍ଣ୍ଣାଣ୍ଡିଜ୍‌ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ସେ ଏନ୍‌ଡିଏର ସଂଯୋଜକ ଭାବେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। 3 ଜୁନ୍‌ 1930ରେ ଜନ୍ମିତ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ 9 ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କର ହିନ୍ଦୀ, ଇଂରାଜୀ, ତାମିଲ, ମରାଠି, କନ୍ନଡ, ଉର୍ଦ୍ଦୁ, କୋଙ୍କଣୀ ସମେତ 1 ଭାଷାରେ ଦଖଲ ରହିଥିଲା।

ସଂଘର୍ଷପୂର୍ଣ୍ଣ ରାଜନୀତି: ସମାଜବାଦୀ ଆନ୍ଦୋଳନର କର୍ଣ୍ଣଧାର ଜର୍ଜ ଫର୍ଣ୍ଣାଣ୍ଡିଜ୍ 1930 ମସିହାରେ ମାଙ୍ଗାଲୁରୁରେ ଜନ୍ମ ଗ୍ରହଣ କରିଥିଲେ। ରାଜନୀତି ପ୍ରତି ତାଙ୍କର ପ୍ରବଳ ଆଗ୍ରହ ତାଙ୍କୁ ପ୍ରଥମେ ଶ୍ରମିକ ରାଜନୀତି ଆଡ଼କୁ ଟାଣିନେଇଥିଲା ଏବଂ ସେ ଜଣେ ସଫଳ ଶ୍ରମିକ ନେତା ସାଜିଲେ। 1967ରେ ସେ ପ୍ରଥମ ଲୋକସଭା ନିର୍ବାଚନ ଜିତିଥିଲେ। ଜରୁରୀ ପରିସ୍ଥିତି ସମୟରେ ସେ ଜେଲ୍ ଯାଇଥିଲେ।

ରେଳ ଧାରଣା ଉଡ଼ାଇ ଦେବାପାଇଁ ଷଡ଼ଯନ୍ତ୍ର କରିଥିବା ନେଇ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଜେଲ୍‌ରୁ ହିଁ ସେ 1977 ମସିହାରେ ବିହାରର ମୁଜାଫରପୁର ଲୋକସଭା ଆସନ ଜିତିଥିଲେ। ପାଦ୍ରୀ ହେବାକୁ ତାଲିମ ନେଇଥିଲେ: ଜଣେ ରୋମାନ୍ କ୍ୟାଥୋଲିକ୍‌ ପ‌ାଦ୍ରୀ ହେବାପାଇଁ ତାଲିମ୍‌ ନେଇଥିଲେ ଜର୍ଜ ଫର୍ଣ୍ଣାଣ୍ଡିଜ୍‌। କିନ୍ତୁ ଏହା ସାକାର ହୋଇନଥିଲା ଏବଂ ଜଣେ ଟ୍ରେଡ ୟୁୂନିଅନ ନେତା ଭାବେ ସେ ସୁଖ୍ୟାତି ହାସଲ କରିଥିଲେ। କଂଗ୍ରେସର ତୁଙ୍ଗ ନେତାଙ୍କୁ ହରାଇଥିଲେ: 1967 ମସିହାରେ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ବଡ଼ ସଫଳତା ମିଳିଥିଲା।

ୟୁନାଇଟେଡ ସୋସିଆଲିଷ୍ଟ୍‌ ପାର୍ଟି ଟିକଟ୍‌ରେ ନିର୍ବାଚନ ଲଢ଼ି କଂଗ୍ରେସର ଟାଣୁଆ ନେତା ଏସ୍‌କେ ପାଟିଲଙ୍କୁ ହରାଇଥିଲେ। ଗିରଫରୁ ବର୍ତ୍ତିବା ପାଇଁ ଗୀତା ପଢ଼ିଥିଲେ: ଜରୁରୀ ପରିସ୍ଥିତି ସମୟ‌ରେ ଗିରଫରୁ ବର୍ତ୍ତିବାପାଇଁ ସମାଜବାଦୀ ନେତା ଜର୍ଜ ଗୀତା ପାଠ କରି ପୁଲିସ୍‌କୁ ଚକ୍‌ମା ଦେଇଥିଲେ।

ଜଣେ ପ୍ରମୁଖ ବିଦ୍ରୋହୀ ନେତା ଭାବେ ସେ ଇନ୍ଦିରା ଗାନ୍ଧୀଙ୍କ ପାଇଁ ଚିନ୍ତାର କାରଣ ହୋଇଥିଲେ। ଦେଶରୁ କୋକାକୋଲାକୁ ହଟାଇଥି‌ଲେ: ‌କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ସେ ଦେଶରୁ ଆମେରିକାର ମଲ୍ଟିନ୍ୟାସନାଲ୍‌ କମ୍ପାନି କୋକାକୋଲା ଏବଂ ଆଇବିଏମ୍‌କୁ ହଟାଇ ଦେଇଥିଲେ। ପୁଞ୍ଜି ନିବେଶ ଆଇନରେ ଅନିୟମିତତା ହୋଇଥିବା କାରଣରୁ ସେ ଦେଶରୁ କୋକାକୋଲା ଏବଂ ଆଇବିଏମ୍‌କୁ ହଟାଇ ଥିଲେ।

Spread the love