ଆଜି ମା’ ଘଟଗାଁ ତାରିଣୀର ସୁନା ବେଶ

ଘଟଗାଁ : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ଚଇତି ପର୍ବ ଚାଲିଛି ମହାଆଡମ୍ବରରେ।ଦୀର୍ଘ ସାତ ଦିନ ଧରି ପାଳିତ ହେଉଥିବା ଚଇତି ଯାତର ଆଜି ତୃତୀୟ ଦିନ । ତୃତୀୟ ଦିନରେ ମା’ ତାରିଣୀଙ୍କ ସୁନା ବେଶ ଦର୍ଶନ ପାଇଁ   ହଜାର୍ ହଜାର୍ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।

ତୃତୀୟ ଦିନରେ ଆଜି ମା’ଙ୍କ ନିକଟରେ ସକାଳ ଭୋର ୩ଟା ରାତିରୁ ମା’ଙ୍କ ସେବାୟତ ମାନେ ମା’ଙ୍କର ମହାସ୍ନାନ, ବଡ ସିଂହାର, ମାଜଣା, ଦ୍ବିପ ପ୍ରଜ୍ବଳନ ଇତ୍ୟାଦି ନୀତିକାନ୍ତି ସମାପନ କରି ମା’ଙ୍କୁ ସୁନା ବେଶରେ ସୁସଜ୍ଜିତ କରିଥିଲେ । ପରେ ୭ଟାରେ ମା’ଙ୍କ ପହଡ ଖୋଲିଥିଲେ ।

ତେବେ ଶୁଣିବାକୁ ମିଳେ ମା’ଙ୍କ ଚଇତି ପର୍ବର ସୁନାବେଶ ଖୁବ୍ ମନଲୋଭା ଏବଂ ଏହି ଦିନ ଗୁଡିକରେ ମା’ଙ୍କୁ ଦର୍ଶନ କରି ଯାହା ମଗାଯାଏ, ମା’ ତାର ମନୋସ୍କାମନା ଅବିଳମ୍ବେ ପୁରଣ କରିଥାନ୍ତି । ଯାହାକୁ ଦେଖିବା ପାଇଁ ଆଜି ମଧ୍ୟ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି । ଚଇତି ପର୍ବ ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରତି ଭକ୍ତ ମା’ଙ୍କ ପାଖକୁ କେବଳ ୨ଟି ନଡିଆ ନେଇ ମା’ଙ୍କୁ ଦର୍ଶନ କରିବେ ।

ଯେଉଁ ଭକ୍ତ ୧୦୮ କିମ୍ବା ଅଧିକ ସଂଖ୍ୟକ ମାନସିକ ନଡିଆ ମା’ଙ୍କ ପାଖରେ ସମର୍ପଣ କରିବାକୁ ଆସିଥିବେ ସେମାନଙ୍କ ମାନସିକ ନଡିଆକୁ ମା’ଙ୍କ ପରିସରରେ ବିରାଜମାନ ଥିବା ମା’ ଦୁଆରଶୁଣୀଙ୍କ ନିକଟରେ ଲଗାଇବାର ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ଥାନୀୟ ପୋଲିସ୍ ପ୍ରଶାସନ, ମନ୍ଦିର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ମୁତୟନ କରାଯାଇଛି।

Spread the love