ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା

ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଆଜି ଉଭାଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଚଳିତ ବର୍ଷ ନବଯୌବନ ଦର୍ଶନ ୨ ଦିନ ପଡୁଥିବାରୁ ଆଜି ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଭକ୍ତ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ ରହିବ। ତେବେ ଆଜି ଭୋର ୪ଟାରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ୧ଟ ୩୦, ଅପରାହ୍ନ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ। ସକାଳ ୬ଟା ୩୦ରୁ ୧୨ଟା ୩୦ ଓ ୧ଟା ୩୦ରୁ ଅପରାହ୍ନ ୩ଟା ୩୦ ଓ ସନ୍ଧ୍ୟା ୫ଟାରେ ଦର୍ଶନ ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତି କରାଯିବ। ଆଜି ଉଭାଯାତ୍ରାରେ ୩ ରଥକୁ ରଥଖଳାରୁ ଟଣାଯାଇ ସିଂହଦ୍ୱାରକୁ ଅଣାଯିବ। ସକାଳ ଧୂପ ସରିବା ପରେ ରଥ ଆଜ୍ଞାମାଳ ଅଣାଯାଇ ରଥ ଟଣାଯିବ।

ଅନ୍ୟପଟେ ସିଂହଦ୍ୱାରକୁ ଯିବେ ତିନି ରଥ। ମହାପ୍ରଭୁଙ୍କ ଆଜ୍ଞାମାଳ ପାଇବା ପରେ ସିଂହଦ୍ୱାର ସମ୍ମୁଖକୁ ଯିବେ ୩ ରଥ। ତିନି ଜଣ ପୂଜାପଣ୍ଡା ସେବକ ଶ୍ରୀଜିଉଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞାମାଳ ସହ ରଥଖଳାକୁ ଯିବେ। ୩ ରଥକୁ ସିଂହଦ୍ୱାର ସମ୍ମୁଖକୁ ନେବାପାଇଁ ମହାପ୍ରଭୁଙ୍କ ପକ୍ଷରୁ ଆଜ୍ଞା ଦିଆଯିବ। ଏହାପରେ ପୋଲିସ କର୍ମଚାରୀ ଓ ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଇବେ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ମହାରଣା, ରୂପକାର, ଚିତ୍ରକର, କମାର ଓ ଦରଜି ସେବକ। ତିନି ରଥରେ କନା ପକା ଯାଉଛି। କନତ ମୁଣ୍ଡିରେ ପିତ୍ତଳ ସାଜ ଲଗାଯିବା ସହ ଚକ ବିଜେ ନିର୍ମାଣ ଶେଷ ହୋଇଛି। ପ୍ରଭା ଗୁଡିକରେ ଓଝା ସେବକ ବିଡିଆ କଣ୍ଟା ବସାଇଛନ୍ତି। ପ୍ରଭୁଙ୍କୁ ସେନାପଟା ଲାଗି କରାଯିବ। ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦଇତାପତ୍ତି ପ୍ରସ୍ତୁତ କରିବେ। ଏ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Spread the love