ପ୍ରତିଶ୍ରୁତିରେ ଅଟକିଛି ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା

ଓଡ଼ିଶାର  ସୁସ୍ବାଦୁ ମିଷ୍ଟାନ୍ନ ଛେନାପୋଡ଼ ନୟାଗଡ଼ ଜିଲ୍ଲାରେ ପ୍ରଥମ କରି ତିଆରି କରାଯାଇଥିଲା। ଯାହାର ରାଜ୍ୟ ତଥା ରାଜ୍ୟ ବାହାରେ ଢେର ଆଦର ରହିଛି l ତେବେ ଗତ ୨୦୧୭ ମସିହାରୁ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ଦେବାକୁ ଜିଲ୍ଲାପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ ଗତ ପାଞ୍ଚବର୍ଷ ମଧ୍ୟରେ କେବଳ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତିରେ ଅଟକି ରହିଛି ଛେନାପୋଡ଼ର ଜିଆଇଟ୍ୟାଗ ମାନ୍ୟତା । ଇତି ମଧ୍ୟରେ ପାଞ୍ଚ ବର୍ଷ ହେବ ଉପଯୁକ୍ତ କାଗଜପତ୍ର ଯୋଗାଡ଼ କରି ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାରେ ଜିଲ୍ଲାପ୍ରଶାସନର ଅବହେଳା କାରଣରୁ ଚଳିତ ବର୍ଷ ମଧ୍ୟ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତାର ଆଶା ମଉଳିଛି। ଯେଉଁଥିପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ଜିଲ୍ଲାର ମିଠା ବ୍ୟବସାୟୀ ଓ ବୁଦ୍ଧିଜୀବୀ।

ତେବେ ଗୋଟିଏ ପଟେ ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ନେଇ ଜିଲ୍ଲାବାସୀଙ୍କୁ ନିରାଶ ହେବାକୁ ପଡ଼ିଥିବା ବେଳେ ଅନ୍ୟପକ୍ଷେ ନୟାଗଡ଼ର ପ୍ରସିଦ୍ଧ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଚୂଡାନ୍ତ ଚୟନ ପ୍ରକ୍ରିୟା ଶେଷ ହୋଇଛି l ନୟାଗଡ଼ ପାଣିପୋଇଲା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ଆବେଦନ କ୍ରମେ ଭାରତ ସରକାରଙ୍କ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜେଷ୍ଟ୍ରି ଇଣ୍ଟେକଚୁଆଲ ପ୍ରପଟି କାର୍ଯ୍ୟାଳୟରୁ ଏକ ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀ ଗତ ୬ ତାରିଖରେ ଭୁବନେଶ୍ବର ଗସ୍ତ କରି କଣ୍ଟେଇମୁଣ୍ଡି ବାଇଗଣର ଜିଆଇ ଟ୍ୟାଗ ମାନ୍ୟତା ନେଇ ସମୀକ୍ଷା କରିଛନ୍ତି l ଫଳରେ ନୟାଗଡ଼ ଜିଲ୍ଲାର କଣ୍ଟିଲୋ ଓ ଖଣ୍ଡପଡା ଅଂଚଳରେ ସ୍ବତନ୍ତ୍ର ଭାବେ ଉତ୍ପାଦିତ ବାଇଗଣ ଏବେ ନିଜର ସ୍ବତନ୍ତ୍ର ପରିଚୟ ପାଇବା ନୟାଗଡ଼ ବାସିନ୍ଦାଙ୍କ ପାଇଁ ଅନେକ ଉତ୍ସାହ ଆଣିଛି l ତେବେ ଜିଲ୍ଲାବାସୀ ଏବେ କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ମାନ୍ୟତା ମିଳିବା ଆଶାରେ ଉତ୍ସାହିତ ଥିବା ବେଳେ ଛେନାପୋଡ଼ ପାଇଁ ଉପଯୁକ୍ତ କାଗଜପତ୍ର ଜିଲ୍ଲା ପ୍ରଶାସନ ଶୀଘ୍ର ଦାଖଲ କରିବାକୁ ଦାବି କରିଛନ୍ତି।

Spread the love