ଆସିଲା ନୂଆ ଗାଇଡ୍‌ଲାଇନ, ବିଦେଶରୁ ଆସିଲେ ୭ ଦିନ କ୍ଵାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ,୦୭/୦୧: ଦେଶରେ କୋଭିଡ-୧୯ ମାମଲା କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି । ଦୈନିକ ସଂକ୍ରମଣ ମଧ୍ୟ ଏକ ଲକ୍ଷ ପାର କରିସାରିଛି । ଏହାରି ଭିତରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି କେନ୍ଦ୍ର ସରକାର । ନୂଆ ଗାଇଡଲାଇନ ଅନୁଯାୟୀ ଭାରତ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ୭ ଦିନିଆ ହୋମ କ୍ୱାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି । ଏହାସହ ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ କୋଭିଡ୍ ଟେଷ୍ଟକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ରିପୋର୍ଟ ନେଗେଟିଭ ଆସିଲେ, ସମ୍ପୃକ୍ତ ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନରେ ରହିବାକୁ ପଡିବ । ପଜିଟିଭ ଚିହ୍ନଟ ହୋଇଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରଖାଯିବ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ନୂଆ ଗାଇଡଲାଇନ ଆସନ୍ତା ଜାନୁଆରୀ ୧୧ରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଲାଗୁ ହେବ । ଗାଇଡଲାଇନ ଆନୁଯାୟୀ ଭାରତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବା। ସ୍କ୍ରିନିଂ ସମୟରେ କୌଣସି ଲକ୍ଷଣ ପ୍ରକାଶ ପାଇଲେ ଯାତ୍ରୀଙ୍କୁ ତୁରନ୍ତ ଆଇସୋଲେଟ କରାଯାଇ ଆବଶ୍ୟକୀୟ ଚିକିତ୍ସା ଯୋଗାଯିବ।

ଯେଉଁ ଦେଶ ଗୁଡିକରେ କରୋନାର ମାମଲା ଅଧିକ, ସେଠାରୁ ଯାତ୍ରୀଙ୍କ ଆଗମନରେ ଟେଷ୍ଟ କରାଯିବ ଯାହାର ଖର୍ଚ୍ଚ ଯାତ୍ରୀମାନେ ବହନ କରିବେ । ରିପୋର୍ଟ ନେଗେଟିଭ ଆସିବା ପରେ ୭ ଦିନ କ୍ୱାରେଣ୍ଟିନରେ ରହିବେ । ଏହାପରେ ପୁଣି ଥରେ ଅଷ୍ଟମ ଦିନରେ ଆରଟି-ପିସିଆର ଟେଷ୍ଟ କରାଯିବ । ଏହାପରେ ଯାତ୍ରୀଙ୍କୁ ନିଜର ଆରଟି-ପିସିଆର ରିପୋର୍ଟକୁ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ୍ କରିବାକୁ ପଡିବ ।

Spread the love