ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା : ଶ୍ବଶୁର ଘରୁ ଆସିଲା ୫ ହଜାର ପ୍ରକାରର ଉପହାର

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ବଶୁର ଘର ମିଥିଳାରୁ ରାମଲଲାଙ୍କ ପାଇଁ ୫ ହଜାର ଉପହାର ଆସିଛି। ଏହା ମଧ୍ୟରେ ବସ୍ତ୍ର, ଫଳ, ଶୁଖିଲା ଫଳ, ବିଭିନ୍ନ ବ୍ୟଞ୍ଜନ, ରୁପାର କଠଉ ଏବଂ ଅଳଙ୍କାର ସାମିଲ ରହିଛି। ଜନକପୁରର ପ୍ରତ୍ୟେକ ଘରୁ ଏହି ଉପହାର ଆସିଛି। ଜନକପୁରର ପ୍ରାୟ ୫୦୦ ଲୋକ ବାସୀ ଏ ସବୁ ଆଣି ଅଯୋଧ୍ୟାର କାରସେବକପୁରମରେ ପହଞ୍ଚିଛନ୍ତି।

ଜନକପୁର ଧାମର ମେୟର ମନୋଜ କୁମାର ଶାହ ଏବଂ ଜାନକୀ ମନ୍ଦିରର ମହନ୍ତ ରାମତପେଶ୍ବର ଦାସଙ୍କ ନେତୃତ୍ବରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଜାନକୀ ମନ୍ଦିରର ଉତ୍ତରାଧିକାରୀ ରାମ ରୋଶନ ଦାସ ମଧ୍ୟ ଯାତ୍ରାରେ ସାମିଲ ଅଛନ୍ତି। ନେପାଳର ପଶ୍ଚିମ ଚମ୍ପାରଣ, କୁଶିନଗର, ଗୋରଖପୁର ଦେଇ ଯାତ୍ରା ଅଯୋଧ୍ୟାରେ ପହଞ୍ଚିଛି। ଏଥିରୁ ପ୍ରାୟ ୨ ହଜାର ଝୁଡ଼ିରେ ଥିବା ଉପହାରକୁ ଅନ୍ୟ ମନ୍ଦିରରେ ବିରାଜମାନ ସୀତାରାମଙ୍କୁ ଭୋଗ ଲଗାଇବା ପାଇଁ ଅର୍ପଣ କରାଯିବ। ପରେ ଯାତ୍ରା ଜନକପୁର ଫେରିଯିବ। ଜନକପୁରର ସଂସ୍କୃତି ଅନୁଯାୟୀ ଶ୍ରୀରାମଙ୍କ ପାଇଁ ଏହି ସବୁ ଉପହାର ପଠା ଯାଇଥିଲା। ଏହି ପ୍ରାଚୀନ ପରମ୍ପରା ଏବଂ ତ୍ରେତୟା ଯୁଗରୁ ଥିବା ଭାରତ ନେପାଳର ସମ୍ବନ୍ଧର ଡୋରିକୁ ଅଧିକ ନିବିଡ଼ କରିବ।ଅନ୍ୟପକ୍ଷରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋରଦାରରେ ପ୍ରସ୍ତୁତି ଜାରି ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ପାଇଁ ୧୦୦ କୋଟିର ବଜେଟ ରଖାଯାଇଛି। ଏ ପର୍ଯ୍ୟନ୍ତ ୨୫ ହଜାର ଯବାନଙ୍କୁ ମୁତୟନ କରାଗଲାଣି। ମନ୍ଦିର ଭିତରର ସୁରକ୍ଷା ଦାୟିତ୍ବ ଏସ୍‌ଟିଏଫ୍‌କୁ ଦିଆଯାଇଛି। ଆତ୍ମଘାତୀ ଆକ୍ରମଣ ରୋକିବା ପାଇଁ ‘କ୍ରାସ ରେଟେଡ ବୋଲାର୍ଡ’ ଲଗାଯାଇଛି। ସରଯୁ ନଦୀରେ ସ୍ନାଇପରଙ୍କୁ ମଧ୍ୟ ମୁତୟନ କରାଯିବ। ସେହିପରି ରାମ ମନ୍ଦିର ପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ଶନିବାର ସରଯୁ ତଟରେ ଶ୍ରାଦ୍ଧ ଦିଆଯାଇଛି। ଅନ୍ୟପଟେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଅଯୋଧ୍ୟାରେ ଉତ୍ସବ ଆରମ୍ଭ ହେଲାଣି। ପ୍ରାଣ ପ୍ରତିଷ୍ଠା ଦିନର ଅନେକ ମହତ୍ତ୍ବ ରହିଛି। ଏପରି ସ୍ଥିତିରେ ଉତ୍ତରପ୍ରଦେଶର ଅନେକ ଗର୍ଭବତୀ ୨୨ ତାରିଖରେ ସନ୍ତାନ ଜନ୍ମ ହେଉ ବୋଲି ଚାହୁଁଛନ୍ତି। ସେମାନେ ରାମଙ୍କୁ ସ୍ବାଗତ କରି ଦିନକୁ ସ୍ବତନ୍ତ୍ର ବନାଇବାକୁ ଚାହୁଁଛନ୍ତି।

Spread the love