ଆର୍ଥିକ ଅନାଟନ ଓ ସଚେତନତା ଅଭାବ ଯୋଗୁଁ ସ୍କୁଲ ମୁହାଁ ହେଉନାହାନ୍ତି ଛାତ୍ରୀ

ରାୟଗଡା :ସରକାରଙ୍କ ଯୋଜନା ବେଟି ବଚାଓ ବେଟି ପଢାଓ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ଲକ୍ଷ୍ୟ ହାସଲ କରିପାରୁ ନାହିଁ। ଯାହା ଏବେ ହାସ୍ୟାଷ୍ପଦ ପରି ମନେ ହଉଛି। ଚଳିତ ବର୍ଷ ଝିଅଙ୍କ ତୁଳନାରେ ପୂଅ ଅଧିକ ସଂଖ୍ୟାରେ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଅଧିକାଂଶ ଦୁର୍ଗମ ଅଚଂଳରେ ଛାତ୍ରୀମାନେ ବିଦ୍ୟାଳୟକୁ ଆସୁନଥିବା ବେଳେ ବିଲ ଓ ଡଙ୍ଗର କାମରେ ନିୟୋଜିତ ହେଉଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନା ସତ୍ୱେ ରାୟଗଡା ଜିଲ୍ଲାରେ ବାଳିକା ଶିକ୍ଷା ଅତ୍ୟନ୍ତ ନୈରାଶଜନକ ସୃଷ୍ଟି କରିଛି। ଯାହା ଏବେ ଜିଲ୍ଲା ଶିକ୍ଷା ବିଭାଗକୁ ଚିନ୍ତାରେ ପକାଇଛି। ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବାଳିକା ଶିକ୍ଷା ଅତ୍ୟନ୍ତ ନୈରାଶଜନକ ସ୍ଥିତିରେ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାରଙ୍କ ବିଭିନ୍ନ ଯୋଜନା ଉଭୟ ଅବିଭାବକ ଓ ବାଳିକାମାନଙ୍କୁ ଅକୃଷ୍ଟ କରିପାରୁନି। ଫଳରେ ବେଟି ବଚାଓ ବେଟି ପଢାଓ ସ୍ଲୋଗାନ କେବଳ ସ୍ଲୋଗାନରେ ହିଁ ରହିଯାଉଛି।ପ୍ରାକ୍ ଶିକ୍ଷା କୁହାଯାଉଥିବା ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଶିକ୍ଷାର ସ୍ଥିତି ଏକ ପ୍ରକାର ଭୁଶୁଡ଼ି ପଡ଼ିଛି। ପୁଅଙ୍କ ତୁଳନାରେ ଝିଅଙ୍କ ଉପସ୍ଥାନ ଧୀରେ ଧୀରେ କମିବାରେ ଲାଗିଛି। ଅନେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ଅବିଭାବକମାନେ ୨ ରୁ ୩ କିମି କେନ୍ଦ୍ରକୁ ନିଜ ପିଲାଙ୍କୁ ଛାଡିବାକୁ ଅମଙ୍ଗ ହେଉଛନ୍ତି। ଆଉ କିଛି ସ୍ଥାନରେ ଅଙ୍ଗନବାଡି କେନ୍ଦ୍ର ଭାଙ୍ଗି ଯାଇଥିବା ବେଳେ ନିଜ ଘରେ କେନ୍ଦ୍ର ଚଲାଉଛନ୍ତି ଅଙ୍ଗନବାଡି କର୍ମୀ। ଅଙ୍ଗନବାଡି କେନ୍ଦ୍ର ହଉକି ବିଦ୍ୟାଳୟ ବାଳିକାମାନଙ୍କୁ ଖାଦ୍ୟପେୟ ସହ ନାମଲେଖା ଠାରୁ ଆରମ୍ଭ କରି ଜୋତା, ପୋଷାକ, ପାଠ୍ୟପୁସ୍ତକ ଓ ଆବାସିକ ବିଦ୍ୟାଳୟରେ ରହିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ଏତେ ସବୁ ସତ୍ବେ ବି ବାଳିକା ଶିକ୍ଷାର ମାନଦଣ୍ଡ ନିମ୍ନଗାମି ହୋଇପଡୁଛି। କିଛି ଛାତ୍ରୀ ୮ମ ଶ୍ରେଣୀ ପରେ ପାଠ ଛାଡ଼ି ନିଜ ପରିବାର ସହ ବିଲ ଓ ଡଙ୍ଗର କାମ କରୁଛନ୍ତି।

ଅଙ୍ଗନବାଡି କ୍ରମୀ ସୁମତି ପିଡିକାଙ୍କ କହିବା ଅନୁଯାୟୀ ଅଙ୍ଗନବାଡି କେନ୍ଦ୍ର ଦୂର ହେଉଥିବାରୁ ନିଜର ପିଲାଙ୍କୁ ଅଭିଭାବକମାନେ ଆଣୁ ନାହାନ୍ତି। ସେହିପରି ଶିକ୍ଷୟତ୍ରୀ ରଶ୍ମିତା ବିଡିକାଙ୍କ କହିବା ଅନୁଯାୟୀ କୋଡେସୁ ବିଦ୍ୟାଳୟରେ ପୁଅ ୬୪ ଜଣ ରହିଥିବା ବେଳେ ଝିଅ ମାତ୍ର ୭ ଜଣ ରହିଥିବା କହିଥିଲେ। ଏହାର କାରଣ ପଚାରିବାରୁ ଝିଅଙ୍କ ସଂଖ୍ୟା କମୁଥିବା ସହ ଅନ୍ୟତ୍ର ହୋଷ୍ଟେଲ ଯାଇ ପାଠ ପଢୁଥିବା କହିଥିଲେ। କିନ୍ତୁ ସେଠାରେ ବି ନାମ ଲେଖାଇବା ପରେ ଆଉ ପାଠ ପଢିବାକୁ ଯାଉନଥିବା କୁହାଯାଇଛି। ରାୟଗଡା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମଙ୍ଗଳ ବିଭାଗ ପକ୍ଷରୁ ଆବାସିକ ବିଦ୍ୟାଳୟ ରହିଥିବା ବେଳେ ଝିଅମାନେ ବିଦ୍ୟାଳୟରେ ନାମ ଲେଖାଉନାହାନ୍ତି। ଜିଲ୍ଲାର ରାୟଗଡା, କାଶୀପୁର, ଗୁଣୁପୁର ଏବଂ କଲ୍ୟାଣସିଂହପୁର ବ୍ଳକରେ ବାଳିକା ଶିକ୍ଷାର ସ୍ଥିତି ଚିନ୍ତାଜନକ ରହିଛି।

ମିଳିଥିବା ତଥ୍ୟ ଅନୁଯାୟୀ ରାୟଗଡା ସଦର ବ୍ଳକରେ ୬ ରୁ ୧୧ ବର୍ଷ ବର୍ଗରେ ୭୨୪ ଜଣ ଓ ୧୪ ରୁ ୧୯ ବର୍ଷ ବର୍ଗରେ ୧୧୪୧ ଜଣ ଛାତ୍ରୀ ବିଦ୍ୟାଳୟକୁ ଆସୁନଥିବା ଜଣାପଡିଛି। ଗୁଣୁପୁର ବ୍ଳକରେ ୧୧ ରୁ ୧୪ ବର୍ଷ ବର୍ଗରେ ୯୮ ଓ ୧୪ ରୁ ୧୯ ବର୍ଷ ବର୍ଗରେ ୧୧୫୭ ଜଣ, କଲ୍ୟାଣସିଂହପୁର ବ୍ଳକରେ ୧୧ ରୁ ୧୪ ବର୍ଷରେ ୨୮୪ ଜଣ ଓ ୧୪ ରୁ ୧୯ ବର୍ଷ ବର୍ଗରେ ୧୫୨୮ ଜଣ, କାଶୀପୁର ବ୍ଳକରେ ୬ ରୁ ୧୧ ବର୍ଷରେ ୬୬୪ ଜଣ, ୧୧ ରୁ ୧୪ ବର୍ଷ ବର୍ଗରେ ୫୪୮ ଜଣ, ୧୪ ରୁ ୧୯ ବର୍ଷ ବର୍ଗରେ ୯୯୮ ଜଣ ଛାତ୍ରୀ ବିଦ୍ୟାଳୟକୁ ଆସିନାହାନ୍ତି। ପାଠ ଛାଢିଥିବା ଅଧିକାଶଂ ଯୁବତୀ ଆର୍ଥିକ ସମସ୍ୟା ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି। ଅନ୍ୟପଟେ ସରକାରଙ୍କ ନିର୍ଦ୍ଧେଶ ଅନୁଯାୟୀ ଶିକ୍ଷା ବିଭାଗ ମଧ୍ୟ ଅନେକ ପଦକ୍ଷେପ ହାତକୁ ନେଇଥିବା ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି। କିଛି ବର୍ଷ ତଳେ ଛାତ୍ରୀମାନଙ୍କୁ ବିଦ୍ୟାଳୟ ମୁହାଁ କରିବା ପାଇଁ ବିବାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍ରଫୋର୍ସ ଗଠନ କରାଯାଇ ବାଳିକାମାନଙ୍କୁ ବିଦ୍ୟାଳୟ ମୁହାଁ କରିବାକୁ ଉଦ୍ୟମ କରାଯାଇଥିଲା।କିନ୍ତୁ ଶିକ୍ଷା ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

Spread the love