ଚଷମା ପିନ୍ଧିବାର ତରିକା

ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ଚକ୍ଷୁ ସମସ୍ୟା କାରଣରୁ ଚଷମା ବ୍ୟବହାର କରୁଛନ୍ତି। ଆଉ କେହି କେହି ଧୂଳି ମଳି ଆଦିରୁ ଚକ୍ଷୁକୁ ସୁରକ୍ଷା ଦେବା ପାଇଁ ଅବା ଫ୍ୟାଶନ୍‌ ଲାଗି ଅନେକଙ୍କୁ ଚଷମା ପିନ୍ଧୁଥିବା ଦେଖିବାକୁ ମିଳୁଛି। ହେଲେ ଏହାକୁ ବ୍ୟବହାର କରୁଥିଲେ କେତୋଟି କଥା ପ୍ରତି ସଚେତନ ହେବା ନିହାତି ଆବଶ୍ୟକ।ଆସନ୍ତୁ ଜାଣିବା –

ପାଓ୍ବାର ହେଉ ଅବା ନ ହେଉ, ନୂଆ ଚଷମା ପିନ୍ଧିବା ପୂର୍ବରୁ ଚେକ୍‌ କରିନିଅନ୍ତୁ ଏହା ଆପଣଙ୍କୁ କମ୍ଫର୍ଟେବଲ୍‌ ହେଉଛି ବା ନାହିଁ। ନଚେତ୍‌ ଆପଣ ଏହାକୁ ପିନ୍ଧିବା ଦ୍ୱାରା ଚକ୍ଷୁରେ ବିଭିନ୍ନ ସମସ୍ୟା ଉପୁଜିପାରେ।

ବର୍ତ୍ତମାନ ବିଭିନ୍ନ ଡିଜାଇନ୍‌ ଫ୍ରେମ ଥିବା ଚଷମା ମାର୍କେଟ୍‌ରେ ଉପଲବ୍ଧ। ତେବେ ମନେରଖନ୍ତୁ ଏଭଳି ଚଷମା ଆଦୌ ବ୍ୟବହାର କରନ୍ତୁ ନାହିଁ, ଯାହାର ଫ୍ରେମ୍‌ ଭାରି। କାରଣ ଏହା ଦ୍ୱାରା ନାକ ଏବଂ କାନ ଉପରେ ଚାପ ପଡ଼ି ଯନ୍ତ୍ରଣା ହେବାର ଆଶଙ୍କା ରହିଛି।

ପିନ୍ଧିବା ଏବଂ କାଢ଼ିବା ସମୟରେ ସର୍ବଦା ଚଷମାକୁ ଦୁଇହାତରେ ଧରନ୍ତୁ। ନଚେତ୍‌ ଗୋଟିଏ ହାତରେ ଧରିଲେ ଫ୍ରେମ୍‌ ବଙ୍କା ହୋଇଯିବାର ଆଶଙ୍କା ରହିଛି। ଯାହାଦ୍ୱାରା ନା କେବଳ ପିନ୍ଧିବା ବେଳେ ଅସୁବିଧା ହୁଏ ବରଂ ଗ୍ଲାସ୍‌ ଆଗପଛ ବା ବଙ୍କା ରହିବା ଯୋଗୁ ଆଖିରେ ମଧ୍ୟ ପ୍ରେସର ପଡ଼ିଥାଏ।

ଚଷମା ଗ୍ଲାସ୍‌ରେ ବିଭିନ୍ନ ପ୍ରକାରର କୋଟିଂ ଆସୁଛି। ଏହାକୁ ମନଇଚ୍ଛା ନ କିଣି ଡାକ୍ତରଙ୍କ ପରାମର୍ଶ କ୍ରମେ କିଣନ୍ତୁ। ଯେପରି ଅଧିକ ସମୟ କମ୍ପ୍ୟୁଟରରେ କାମ କରିବାକୁ ହେଉଥିଲେ ଏହାର ହାନିକାରକ ଲାଇଟ୍‌ରୁ ସୁରକ୍ଷା ପାଇଁ ଆଣ୍ଟିଗ୍ଲେୟାର୍‌ କୋଟିଂଯୁକ୍ତ ଲେନ୍ସ, ବାରମ୍ବାର ବାହାରକୁ ଯିବାକୁ ହେଉଥିଲେ ସୂର୍ଯ୍ୟ କିରଣରେ ଆସୁଥିବା ଅଲ୍‌ଟ୍ରାଭାଓଲେଟ୍‌ ଲାଇଟ୍‌ରୁ ସୁରକ୍ଷା ପାଇଁ ଫୋଟୋକ୍ରୋମିକ୍‌ ଲେନ୍ସ ବ୍ୟବହାର କରିପାରିବେ।

ଗ୍ଲାସ୍‌ ଲେନ୍ସ ଥିବା ଚଷମାର ଓଜନ ଅଧିକ ହେବା ସହ ସ୍କ୍ରାଚ୍‌ ହେବାର ଆଶଙ୍କା ବେଶୀ। ତା’ଛଡା ଏହା ପଡ଼ିଗଲେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ସେହିପରି ପ୍ଳାଷ୍ଟିକ୍‌ ଲେନ୍ସ ହାଲୁକା ହୋଇଥିଲେ ହେଁ ଶୀଘ୍ର ସ୍କ୍ରାଚ୍‌ ହୋଇଥାଏ। ତେଣୁ ଏହା ବଦଳରେ ରେଜିନ୍‌ ଲେନ୍ସ କିମ୍ବା ଟ୍ରିପ୍ଲେକ୍ସ ଲେନ୍ସ ବ୍ୟବହାର କରନ୍ତୁ, ଯାହାକି ହାଲୁକା ଲାଗିବା ସହ ପଡ଼ିଗଲେ ସହଜରେ ଭାଙ୍ଗି ନ ଥାଏ।

Spread the love