ପୂର୍ବରୁ ‘ଇଣ୍ଡିଆ’ ସରକାରୀ ଭାବେ ‘ଭାରତ’ ହେବା ମାମଲା ଉପରେ ଏହି ରାୟ ଦେଇଥିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶର ନାମ ‘ଇଣ୍ଡିଆ’ରୁ ସରକାରୀ ଭାବେ ‘ଭାରତ’ ହୋଇଯିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତେବେ ଜାଣିରଖନ୍ତୁ ଯେ ଏହି ପ୍ରସଂଗ ଆଜିକାଲିର ନୁହେଁ, ଏହା ଅତିପୁରୁଣା। ୨୦୧୬ ମସିହାରେ ବି  ସର୍ବୋଚ୍ଚ ନ୍ୟାୟଳୟରେ ‘ଇଣ୍ଡିଆ’ର ନାମ କେବଳ ‘ଭାରତ’ କରି ଦିଆଯିବାକୁ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତାହାର ଉତ୍ତରରେ ସର୍ବୋଚ୍ଚ ନ୍ୟାୟାଳୟ କ’ଣ କହିଥିଲେ ଜାଣନ୍ତି?

 

ସୁପ୍ରିମ୍‌କୋର୍ଟ ମାମଲାର ବିଚାର କରି ରାୟ ଶୁଣାଇଥିଲେ ଯେ ‘ଯଦି ଆପଣ ଭାରତ କହିବାକୁ ଚାହାନ୍ତି ତ କୁହନ୍ତୁ। ଯଦି କିଛି ଲୋକ ‘ଇଣ୍ଡିଆ’ କହିବାକୁ ଚାହାନ୍ତି ତ ସେମାନଙ୍କୁ କହିବାକୁ ଦିଅନ୍ତୁ’। ପ୍ରତ୍ୟେକ କ୍ଷେତ୍ରରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ବ୍ୟବହାର ହେବ‌ ବୋଲି ହୋଇଥିବା ଜନ ସ୍ବାର୍ଥ ମାମଲାକୁ ଖାରଜ କରି ଅଦାଲତ ଏପରି କହିଥିଲେ।

ମହାରାଷ୍ଟ୍ରର ନିରଞ୍ଜନ ଭଟୱାଲ୍‌ ଏକ ଜନ ସ୍ବାର୍ଥ ମାମଲା ରୁଜୁ କରିଥିବା ବେଳେ ଜଷ୍ଟିସ୍‌ ଟି ଏସ୍‌ ଠାକୁର୍‌, ଜଷ୍ଟିସ୍‌ ୟୁ ୟୁ ଲଲିତଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠରେ ତାହାକୁ ଖାରଜ କରି ଦିଆଯାଇଥିଲା। ଆମ ଦେଶର ସମ୍ବିଧାନର ‘ଆର୍ଟିକିଲ୍‌ ୧’ର ପରିବର୍ତ୍ତନ କରିବାର କିଛି କାରଣ ନାହିଁ। ସମ୍ବିଧାନର ଆର୍ଟିକିଲ୍‌ ୧ (୧) କହୁଛି ‘‘ ଇଣ୍ଡିଆ, ତାହା ହିଁ ଭାରତ, ସମସ୍ତ ରାଜ୍ୟର କେନ୍ଦ୍ର।’’ ବୋଲି ଅଦାଲତ ଘୋଷଣା କରିଥିଲେ।

ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୯ରେ ଏକ ନୈଶଭୋଜି ପାଇଁ ଜି୨୦ ନେତାମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣପତ୍ରରେ ‘ଭାରତ’ ନାମ ଉଲ୍ଲେଖକୁ ନେଇ ଏହି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପାର୍ଲାମେଣ୍ଟର ଏକ ସ୍ବତନ୍ତ୍ର ଅଧିବେଶନ ମଧ୍ୟ ହେବାକୁ ଯାଉଛି। ତେ‌ଣୁ କିଛି ଲୋକ ଅନୁମାନ କରୁଛନ୍ତି ଯେ ଏହି ସ୍ବତନ୍ତ୍ର ଅଧିବେଶନରେ ସରକାର ‘ଇଣ୍ଡିଆ’ ନାମ ପରିବର୍ତ୍ତନ କରି ‘ଭାରତ’ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

 

Spread the love