ଶାସକ ବିଜେଡିର ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି: ଗୋଲକ ମହାପାତ୍ର

ଭୁବନେଶ୍ୱର : ସରକାରୀ କର୍ମଚାରୀମାନେ ନିର୍ବାଚନରେ କୈାଣସି ନିର୍ଦ୍ଧିଷ୍ଟ ରାଜନୈତି ଦଳ ପାଇଁ ପ୍ରଚାର କରିପାରିବେ ନାହିଁ । ସରକାରୀ କର୍ମଚାରୀମାନେ ପ୍ରଚାର କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀରେ ସ୍ଫଷ୍ଟ ଭାବେ ଉଲ୍ଲେଖ ଅଛି । କିନ୍ତୁ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ପ୍ରତ୍ୟକ୍ଷ ପ୍ରରୋଚନାରେ ସରକାରୀ କର୍ମଚାରୀମାନେ ଶାସକ ଦଳ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛନ୍ତି । ଏଭଳି ଘଟଣାର ଭିଡିଓ ଭାଇରାଲ ହେଉଥିଲେ ମଧ୍ୟ ସେମାନଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ ଏବଂ ରାଜ୍ୟ ନିର୍ବାଚନ କମିଶନ ନୀରବଦ୍ରଷ୍ଟା ସାଜିଛନ୍ତି । ପୁରୀ ଜିଲ୍ଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ ଲକ୍ଷ୍ମଣଚନ୍ଦ୍ର ବିଦ୍ୟାପୀଠର ଶିକ୍ଷକ ଶ୍ରୀ ପଦ୍ମଚରଣ ଜେନା ଏବଂ ବ୍ରାହ୍ମଣ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବାବୁ ନାରାୟଣ ଜେନା ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀକୁ ଅବମାନନା କରିବା ସହିତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରି ଶାସକ ଦଳର ପ୍ରଭାବଶାଳୀ ନେତା ତଥା ପୂର୍ବତନ ବିଧାୟକ ସଂଜୟ ଦାସବର୍ମାଙ୍କ ସହ ମିଶି ବିଜେଡି ସପକ୍ଷରେ ଭୋଟ ପ୍ରଚାର କରୁଛନ୍ତି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କାରଣରୁ ଦୁଇ ଜଣ ଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ଗିରଫ କରିବା ପାଇଁ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।

ସେହିପରି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବିଜେଡି ସଭାନେତ୍ରୀ ଶ୍ରୀମତୀ ସଂଘମିତ୍ରା ଜେନା ଘରକୁ ଘର ପଶି ଜୋରଜବରଦସ୍ତ ଭାବେ ‘ଫୋନ-ପେ’ ଏବଂ ‘ଗୁଗୁଲ-ପେ’ ନମ୍ବର ସଂଗ୍ରହ କରି ମହିଳାମାନଙ୍କୁ ଭୋଟ ଦେବା ପାଇଁ ଲାଂଚ ଆକାରରେ ଟଙ୍କା ବଂଟନ କରୁଛନ୍ତି । ବିଜେଡି ନେତ୍ରୀଙ୍କ ଏଭଳି ଅଗଣତାନ୍ତ୍ରୀକ କାର୍ଯ୍ୟକଳାପର ଦୃଶ୍ୟର ଭିଡିଓ ମଧ୍ୟ ସର୍ବସାଧାରଣରେ ବୁଲୁଛି । ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରିଥିବାରୁ ଶ୍ରୀମତୀ ଜେନାଙ୍କ ବିରୋଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ ଓ ଉମାକାନ୍ତ ପଟ୍ଟନାୟକ, ଲିଗାଲ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Spread the love