ପ୍ରଧାନମନ୍ତ୍ରୀ ମୋଦି ପଠାଇଲେ ସୁନା, ବିଜେଡ଼ି ଦେଲା ଭେଣ୍ଡି – ଗୋଲକ ମହାପାତ୍ର
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଓଡ଼ିଶାର ଗରିବ ଲୋକଙ୍କ ପାଇଁ ଘର ପିଛା ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଥିବା ବେଳେ ମୋଦିଙ୍କ ଟଙ୍କାକୁ ବାଟମାରଣା କରିବା ପରେ ବିଜେଡ଼ି ଏବେ ଗରିବ ଲୋକଙ୍କୁ ୫୦୦୦ ଟଙ୍କା ଦେଇ ଭଣ୍ଡାଉଛି । ଏହି କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଲେ ସୁନା, ବିଜେଡ଼ି ଭେଣ୍ଡି ଦେବା ସଦୃଶ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଶ୍ରୀ ମହାପାତ୍ର ପକ୍କା ଘର ମରାମତି ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ସହାୟତା ରାଶି ପ୍ରଦାନ ନେଇ ୮ଟି ପ୍ରଶ୍ନ କରିବା ସହ ଅନେକ ତଥ୍ୟ ରଖିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଘର ପିଛା ଦେଉଥିବା ମୋଟ ଟଙ୍କାର ୩ ପ୍ରତିଶତରୁ କମ ଟଙ୍କା ଦେଇ ବିଜେଡ଼ି ଗରିବଙ୍କୁ ଭୂଆଁ ବୁଲାଉଛି। ସେହିପରି ଶାସକ ଦଳ ବିଜେଡ଼ିର ଘର ପାଇନଥିବା ଲୋକଙ୍କୁ ୫ ହଜାର ଟଙ୍କା ଘର ସହାୟତା ଘୋଡ଼ା ୬ ଟଙ୍କାକୁ ଦାନା ୯ ଟଙ୍କା ସଦୃଶ । ଘର ପାଇଁ ଗରିବଙ୍କୁ ୫ ହଜାର ଟଙ୍କା ଦେଇ ପ୍ରଚାରରେ ୫୦ ହଜାର ଟଙ୍କା ଖର୍ଚ୍ଚ କରୁଛି ବିଜେଡ଼ି । ସହାୟତା ରାଶି ଦେବା ନାଁରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା କ୍ୟାଲେଣ୍ଡର ଦେବାର ମାନେ କଣ ? କେବଳ ପ୍ରଚାର ବାବଦକୁ କୋଟି କୋଟି ଟଙ୍କା ବରବାଦ କରାଯାଉଛି । ଘର ପାଇ ନଥିବା ଲୋକଙ୍କର ଆକ୍ରୋଶରୁ ବର୍ତିବା ପାଇଁ ବିଜେଡି ଏପରି କାହିଁକି କରୁଛି? ମାହାଙ୍ଗାର ଦୁଇ ଜଣ ବିଜେପି କାର୍ଯ୍ୟକର୍ତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ଖୋଦ୍ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ବାଚନ ମଣ୍ଡଳିରେ ହତ୍ୟା କରାଯାଇଛି । ଦୁର୍ନୀତି ସାମ୍ନାକୁ ଆସିବାରୁ ମାହାଙ୍ଗାରେ ଡ଼ବଲ ମର୍ଡ଼ର ହେଲା କି? ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି । ମାତ୍ର ତାହାର କାର୍ଯ୍ୟାନୁଷ୍ଠାନ ରିପୋର୍ଟ କୁଆଡ଼େ ଗଲା? ଏଥିରୁ ଗରିବ
ଲୋକଙ୍କ ହକକୁ ମାରି ନିଜର କର୍ମୀକୁ ବିଜେଡ଼ି ପୋଷୁଥିବା ପ୍ରମାଣିତ ହୋଇଛି। କେନ୍ଦ୍ରସରକାର ଆବାସ ପ୍ଲସ ୱେବସାଇଟରେ ୬ଥର ସମୟସୀମା ବୃଦ୍ଧିପରେ ବି ହିତାଧିକାରୀଙ୍କ ତାଲିକା ଦେବାରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ବିଜେଡି ୟୁଇଣ୍ଡୋ ନ ଖୋଲା ଯିବାର ନାଟକ ରଚିଲେ କାହିଁକି?
ପ୍ରଥମେ ୩୦ ଜୁନ୍, ୨୦୧୮, ଏହାପରେ ୩୦ ସେପ୍ଟେମ୍ବର, ୨୦୧୮, ୩୦ ନଭେମ୍ବର, ୨୦୧୮ ଏବଂ ଶେଷରେ ୭ ମାର୍ଚ୍ଚ, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଅନୁରୂପ ଭାବରେ ବାତ୍ୟା ଫନୀ କାରଣରୁ ଆବାସ ପ୍ଲାସ ପ୍ଲାଟଫର୍ମରେ ଓଡ଼ିଶାକୁ ଦୁଇଟି ସ୍ପେଶାଲ ୱିଣ୍ଡୋରେ ଅଧିକ ଯୋଗ୍ୟ ପରିବାର ବର୍ଗଙ୍କୁ ସାମିଲ କରିବା ପାଇଁ ଅନୁମତି ଦିଆଯାଇଥିଲା । ପ୍ରଥମେ ୨୭ ଅଗଷ୍ଟ ୨୦୧୯ରୁ ୧୦ ଅଗଷ୍ଟ ୨୦୧୯ ଏବଂ ଦ୍ୱିତୀୟ
ଥର ୨୫ ସେପ୍ଟେମ୍ବର ୨୦୧୯ରୁ ୯ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ୨୦୧୪ ମସିହାରେ ବିଜେଡ଼ି ନିର୍ବାଚନ ଇସ୍ତାହାରରେ କହିଥିଲା ୨୦୧୯ ମସିହା ସୁଦ୍ଧା ଓଡ଼ିଶାର ସବୁ
କଚ୍ଚା ଘରକୁ ପକ୍କା ଘରର ପରିଣତ କରିବେ । ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ରହିବ । ଭୂମିହୀନ ମାନଙ୍କୁ ବି ଜମି ଦେଇ ପକ୍କା ଘର ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ । ସେ ପ୍ରତିଶ୍ରୁତି କୁଆଡେ ଗଲା? ବରଗଡ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ ଆଦି ୯ଟି ଜିଲ୍ଲାରେ ଘର ଆବଂଟନରେ ଶୂନ କରାଯାଇଛି ନା ନାହିଁ ? ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଭାରତ ସରକାରଙ୍କ ଦେଉନାହଁ । ନିର୍ବାଚନ ଆସିବା ବେଳେ ଗରିବ ଲୋକଙ୍କ ପାଇଁ ମୋଦି ଦେଉଥିବା ୧ ଲକ୍ଷ ୭୦ ହଜାର ଟଙ୍କା ନ ଦେବା ପରେ ଏ ଲଲିପପ କାହିଁକି ଧରଉଛ? ୫ ହଜାର ଟଙ୍କା ଦେଇ ମୁହଁ ଲୁଚାଇବା କୁ ପ୍ରୟାସ କରୁଛନ୍ତି କି ରାଜ୍ୟ ସରକାର । ଯେଉଁମାନଙ୍କୁ ରାଜ୍ୟ ସରକାର ଆବାସ ପାଇଁ ଟଙ୍କା ବାଂଟିବେ, ତାହାର ତାଲିକା ଅଛି କି ? ଯଦି ଅଛି ତେବେ ତାହା ସାର୍ବଜନୀନ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି । ଏହି ସବୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଉପସ୍ଥିତ ଥିଲେ ।