ଏୟାରପୋର୍ଟ ଡଷ୍ଟବିନରୁ ମିଳିଲା ସୁନା ଇଟା

ଲକ୍ଷ୍ନୌ : ଭାରତରେ ସୁନା ଉପରେ ଆମଦାନୀ ଟିକସ ବଢିଯାଇଥିବାରୁ ଚୋରାବେପାରୀମାନେ ବିଭିନ୍ନ ଅଭିନବ ଉପାୟରେ ବିଦେଶରୁ ସୁନା ଚୋରୋଚାଲାଣ କରୁଛନ୍ତି ।ଗତ ସପ୍ତାହରେ ଯେମିତି ଚେନ୍ନାଇ ଏୟାରପୋର୍ଟର ଶୌଚାଳୟ ଭିତରୁ ଏକ କିଲୋଗ୍ରାମ ଓଜନର ସୁନା ଜବତ କରାଯାଇଥିଲା ,ଠିକ ସେମିତି ଆଜି ଲକ୍ଷ୍ନୌର ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ଏୟାରପୋର୍ଟର ଏକ ଡଷ୍ଟବିନରୁ ୬ଟି ସୁନା ଇଟାକୁୁ ସୀମା ଶୁଳକ (କଷ୍ଟମ୍ସ) ଅଧିକାରୀମାନେ ଜବତ କରିଛନ୍ତି । ସେଗୁଡ଼ିକ ଉପରେ କଳା ଟେପ ଗୁଡ଼ାଯାଇଥିଲା ଓ କଳା ପଲିଥିନରେ ରଖାଯାଇଥିଲା । ପ୍ରଥମେ ଦେଖିଲେ ଜଣାପଡ଼ୁଥିଲା ଯେ କେହି ଜଣେ କିଛି ଅଳିଆ କଳା ପଲିଥିନରେ ରଖି ଫିଙ୍ଗିଦେଇଛି । ପରେ ସେଗୁଡ଼ିକୁ ଖୋଲିବା ପରେ ସତ କଥା ଜଣାପଡ଼ିଥିଲା ।ଜବତ ହୋଇଥିବା ୬ଟି ସୁନା ଇଟାର ମୂଲ୍ୟ ପ୍ରାୟ ୩୬ ଲକ୍ଷ ୬୦ ହଜାର ଟଙ୍କା ହେବା ଅନୁମାନ କରାଯାଉଛି । ମାତ୍ର କିଏ ସେଗୁଡ଼ିକୁ ଆଣୁଥିଲା ସେ ସମ୍ପର୍କରେ ଏବେ କିଛି ଜଣାପଡ଼ିନାହିଁ । କଷ୍ଟମ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ଏହି ଘଟଣାରେ ଜଣେ ଏୟାରପୋର୍ଟ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି  ଏବଂ ଏହାର ତଦନ୍ତ ଜାରି ରହିଛି ।

Spread the love