ଚାଲିଗଲା ବିଶ୍ବର ‘ସବୁଠୁ ଦୁଃଖୀ’ ହାତୀ ମାଲି

ପେଟା’ (ପିପୁଲ୍‌ସ ଫର୍‌‌ ଦି ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ୍‌ ଅଫ୍‌ ଆନିମଲ୍‌ସ) ନାମକ ଏନ୍‌ଜିଓ ଦାବି କରିଛି ଯେ ବିଶ୍ବର ‘ସବୁଠୁ ଦୁଃଖୀ’ ବିବେଚିତ ହାତୀର ମୃତ୍ୟୁ ଘଟିଛି। ‘ମାଲି’ ନାମରେ ପରିଚିତ ଏହି ୪୩ ବର୍ଷୀୟ ହାତୀଟି ଫିଲିପିନ୍‌ସର ରାଜଧାନୀ ମାନିଲା ସ୍ଥିତ ଏକ ଚିଡ଼ିଆଖାନାରେ ରହୁଥିଲା। ୧୯୮୧ ମସିହାରେ ଏହି ହାତୀଟିକୁ ଫିଲିପିନ୍‌ସର ପ୍ରାକ୍ତନ ରାଷ୍ଟ୍ରପତିଙ୍କ ପତ୍ନୀ ଇମେଲ୍‌ଡା ମାର୍କସ୍‌ଙ୍କୁ ତତ୍କାଳୀନ ଶ୍ରୀଲଙ୍କା ସରକାର ଉପହାର ଆକାରରେ ଦେଇଥିଲେ। ସେତେବେଳେ ସେ ୧୧ ମାସର ହୋଇଥିଲା। ଗତ ମଙ୍ଗଳବାର ଅପରାହ୍‌ଣରେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ‘ମାଲି’ ଉକ୍ତ ଚିଡ଼ିଆଖାନାର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଓ ମୁଖ୍ୟ ଆକର୍ଷଣ ଥିଲା।

ମାଲି ଚିଡ଼ିଆଖାନା କର୍ମଚାରୀମାନଙ୍କ ଜୀବନର ଏକ ଅଂଶ ହୋଇ ରହିଥିଲା ବୋଲି ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି। ଦଶନ୍ଧି ଦଶନ୍ଧି ଧରି ‘ମାଲି’ର ଏକୁଟିଆ ଜୀବନଯାପନ ଓ ତା’ ପ୍ରତି ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ବ୍ୟବହାରକୁ ନେଇ ସାରା ବିଶ୍ବରେ ଚିନ୍ତା ପ୍ରକଟ କରାଯାଉଥିଲା ଏବଂ ତା’କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଅନେକ ଦାବି କରାଯାଇଥିଲା। ରକ୍‌ ବ୍ୟାଣ୍ଡ ‘ଦି ବିଟଲ୍‌ସ’ର ସଦସ୍ୟ ପଲ୍‌ ମ୍ୟାକ୍‌’କର୍ଟନି ୨୦୧୨ରେ ଫିଲିପିନ୍‌ସ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ‘ମାଲି’କୁ ମୁକ୍ତ କରି ଅନ୍ୟ ଦେଶକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲେ। ମାତ୍ର ସେଭଳି କୌଣସି ପଦକ୍ଷେପ ନିଆଯାଇନଥିଲା। ‘ମାଲି’ ବାରମ୍ବାର କାନ୍ଥରେ ତାହାର ଶୁଣ୍ଢକୁ ଘଷୁଥିଲା, ଯାହା ତା’କୁ ଯନ୍ତ୍ରଣା ହେଉଥିବା ସୂଚାଉଥିଲା ବୋଲି ଚିଡ଼ିଆଖାନାର ମୁଖ୍ୟ ଚିକିତ୍ସକ କହିଛନ୍ତି। ତେବେ ତାହାର ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ସେ ଅଗ୍ନ୍ୟାଶୟ କର୍କଟ ରୋଗରେ ପୀଡ଼ିତ ଥିଲା।

Spread the love