କ୍ୟାବିନେଟ୍‌ରେ 17ଟି ପ୍ରସ୍ତାବକୁ ମୋହର : ଡାକ୍ତର, ଯନ୍ତ୍ରୀ, ଶିକ୍ଷକ ଖୁସି

ଆଜି ପ୍ରତ୍ୟୁଷରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ପାକିସ୍ତାନ ସୀମା ଭିତରେ ଅତର୍କିତ ଭାବେ ଆକ୍ରମଣ କରି ଜୈସ୍‌-ଏ-ମହମ୍ମଦ କ୍ୟାମ୍ପଗୁଡ଼ିକୁ ଧ୍ବସ୍ତବିଧ୍ବସ୍ତ କରିଦେଇଛି। ଏଭଳି ଆଗୁଆ, ସାହସିକତା ପଦକ୍ଷେପକୁ ଦେଶବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତିି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ରାଜ୍ୟ ସରକାର। ଆଜି ସନ୍ଧ୍ୟାରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍‌ରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ବାୟୁସେନାର କାର୍ଯ୍ୟକଳାପକୁ ଅଭିନନ୍ଦନ ଜଣାଇଥିଲେ। ଏ ନେଇ ସେ ଆଣିଥିବା ଏକ ସଂକଳ୍ପ ପ୍ରସ୍ତାବକୁ ବୈଠକରେ ସର୍ବସମ୍ମତ କ୍ରମେ ଗୃହୀତ ହୋଇଥିଲା। ଏହାସହିତ କ୍ୟାବିନେଟ୍‌ରେ 17ଟି ପ୍ରସ୍ତାବ ଉପରେ ମୋହର ଲାଗିଥିଲା।

ଏ ସମସ୍ତ ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସବିଶେଷ ସୂଚନା ଦେଇଥିଲେ। ସେ କହିଲେ, ରାଜ୍ୟରେ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡର ପୁନର୍ବିନ୍ୟାସ କରାଯାଇଛି। ଫଳରେ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କ ନିଯୁକ୍ତି କାଳରେ ଅନ୍ୟୂନ 3  ଟି ପଦୋନ୍ନତି ପାଇପାରିବେ। ସେଗୁଡ଼ିକ ହେଉଛି ଯଥା: ବରିଷ୍ଠ ଶିକ୍ଷକ, ସ୍ନାତକ(ଗ୍ରାଜୁଏଟ୍‌) ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ପ୍ରଧାନ ଶିକ୍ଷକ। ଏଥିପାଇଁ ପ୍ରାଥମିକ ବିଦ୍ୟାଳୟରେ ପଦବି ସୃଷ୍ଟି କରାଯିବା ସହିତ ପ୍ରଧାନ ଶିକ୍ଷକ ପଦବି ସଂଖ୍ୟା ମଧ୍ୟ ବହୁ ସଂଖ୍ୟାରେ ବୃଦ୍ଧି କରାଯାଇଛି। ଫଳରେ ରାଜ୍ୟର ପ୍ରାୟ 72563ଜଣ ପ୍ରାଥମିକ ଶିକ୍ଷକ ଅବିଳମ୍ବେ ଉପକୃତ ହେବେ। ପରବର୍ତୀ ପର୍ଯ୍ୟାୟରେ ପ୍ରାୟ 1 ଲକ୍ଷ ଶିକ୍ଷକ ସୁବିଧା ପାଇପାରିବେ। ଏହି କ୍ୟାଡର ପୁନର୍ଗଠନ ପାଇଁ ଆବଶ୍ୟକ ସଂଶୋଧନ ଅଣାଯାଇଛି। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ‌େର କାର୍ଯ୍ୟରତ ଶିକ୍ଷାଧିକାରୀଙ୍କ ପାଇଁ ଓଡ଼ିଶା ଶିକ୍ଷା ସେବା(ବିଦ୍ୟାଳୟ)ର ପୁନର୍ବିନ୍ୟାସ କରାଯାଇଛି। ଏ ନେଇ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତାବଳୀ ନିୟମ, 2019 ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ମାରିଛି।

Spread the love