ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ପଦ୍ମଭୂଷଣ, ଜାଣନ୍ତୁ ତାଙ୍କର ଜୀବନୀ ଏବଂ କ୍ୟାରିୟର ବିଷୟରେ

ନୂଆଦିଲ୍ଲୀ ୨୫।୦୧: ଗୁଗଲର ସିଇଓ ସୁନ୍ଦର ପିଚାଇଙ୍କୁ ଭାରତ ସରକାର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି। ତାଙ୍କୁ ଏହି ପୁରସ୍କାର ବାଣିଜ୍ୟ-ଶିଳ୍ପ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦିଆଯାଇଛି। ଭାରତୀୟ ମୂଳନିବାସୀ ସୁନ୍ଦର ପିଚାଇଙ୍କ ବାସ୍ତବିକ ନାମ ହେଉଛି ସୁନ୍ଦରରାଜନ ପିଚାଇ। ତାଙ୍କର ଜନ୍ମ ୧୯୭୨ରେ ତାମିଲନାଡୁର ମଦୁରାଇରେ ହୋଇଥିଲା। କିନ୍ତୁ ସେ ଚେନ୍ନାଇରେ ବଢିଥିଲେ। ତାଙ୍କ ମାଆ ଲକ୍ଷ୍ମୀ ଜଣେ ଷ୍ଟେନୋଗ୍ରାଫର ଏବଂ ପିତା ରଘୁନାଥ ପିଚାଇ ଇଲେକ୍ଟ୍ରିକଲ ଇଞ୍ଜିନିୟର ଥିଲେ।

୧୯୯୫ରେ ଯେବେ ସୁନ୍ଦର ଉଚ୍ଚ ଶିକ୍ଷା ପାଇଁ ଆମେରିକା ଗଲେ, ସେହି ସମୟରେ ଆର୍ଥିକ ସମସ୍ୟା କାରଣରୁ ତାଙ୍କୁ ନିଜର ପୁରୁଣା ସାମଗ୍ରୀ ବ୍ୟବହାର କରି ଟଙ୍କା ବଞ୍ଚାଇବାକୁ ପଡୁଥିଲା। ସେ ପିଏଚଡି କରିବାକୁ ଚାହୁଁଥିଲେ, ମାତ୍ର ପରିସ୍ଥିତି ଏମିତି ଉପୁଜିଥିଲା ଯେ, ତାଙ୍କୁ ଚାକିରି କରିବାକୁ ପଡିଥିଲା। ପ୍ରଥମ ଚାକିରିରେ ସୁନ୍ଦର ଏକ କମ୍ପାନୀର ପ୍ରୋଡକ୍ଟ ମ୍ୟାନେଜର ଭାବେ କାମ କରିଥିଲେ। ଏହା ପରେ ଦ୍ଵିତୀୟ କମ୍ପାନୀରେ କନସଲଟାଣ୍ଟ ଭାବେ କାମ କରିଥିଲେ।

୧୯୯୩ରେ ପିଚାଇ ଆଇଆଇଟି ଖଡଗପୁରରୁ ବିଟେକ୍ କରିଥିଲେ। ସେହି ବର୍ଷ ଷ୍ଟାନଫୋର୍ଡ ବିଶ୍ଵ ବିଦ୍ୟାଳୟରେ ପାଠପଢା ପାଇଁ ସ୍କୋଲାରଶିପ ମିଳିଥିଲା। ପିଚାଇ ସେଠାରୁ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ। ଏହା ପରେ ୟୁନିଭର୍ସିଟି ଅଫ ପେନସିଲଭେନିଆର ହ୍ଵାର୍ଟନ ସ୍କୁଲରୁ ଏମବିଏ କରିଥିଲେ। ୨୦୦୪ରେ ଗୁଗଲରେ ଯୋଗ ଦେବା ପୂର୍ବରୁ ସଫ୍ଟଓ୍ଵେର କମ୍ପାନୀ ଆପ୍ଲାଇଡ୍ ମାଟେରିୟାଲ୍ସ ଏବଂ ମ୍ୟାନେଜମେଣ୍ଟ କନସଲଟିଙ୍ଗ ଫର୍ମ ମ୍ୟାକେଞ୍ଜିରେ କାମ କରିଥିଲେ।

Spread the love