ମକର ସଂକ୍ରାନ୍ତିରେ ବାବା ଗୋରଖନାଥଙ୍କ ପାଖରେ କାହିଁକି ଲାଗି ହୁଏ ଖେଚୁଡ଼ି ? ଜାଣନ୍ତୁ କାରଣ…

ମକର ସଂକ୍ରାନ୍ତିରେ ବାବା ଗୋରକ୍ଷନାଥ ମନ୍ଦିରରେ ଖେଚୁଡ଼ି ଭୋଗ ଲଗାଇବାର ପରମ୍ପରା ରହିଛି । ଚଳିତ ବର୍ଷ ଜାନୁଆରୀ ୧୫ ତାରିଖରେ ମକର ସଂକ୍ରାନ୍ତି ପାଳନ କରାଯିବ । ଉତ୍ତରପ୍ରଦେଶର ଗୋରଖପୁରରେ ଥିବା ପ୍ରସିଦ୍ଧ ଗୋରଖନାଥ ମନ୍ଦିରକୁ ପ୍ରତି ବର୍ଷ ମକର ସଂକ୍ରାନ୍ତି ଅବସରରେ ପୂର୍ବାଞ୍ଚଳ, ବିହାର ସୀମାବର୍ତ୍ତି ଜିଲ୍ଲା ଓ ନେପାଳରୁ ଶ୍ରଦ୍ଧାଳୁମାନେ ଖେଚୁଡ଼ି ଭୋଗ ଲଗାଇବା ପାଇଁ ଆସିଥାନ୍ତି। ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ମହନ୍ତ ଅଛନ୍ତି । ଏଠାରେ ଖେଚୁଡ଼ି ଭୋଗ ଲଗାଇବା ପରମ୍ପରା ଆଦିଯୋଗୀ ବାବା ଗୋରକ୍ଷନାଥଙ୍କ ସହିତ ଜଡ଼ିତ ଓ ଏହାର ପୌରାଣିକ ବିଶେଷତ୍ୱ ମଧ୍ୟ ରହଛି । ଆସନ୍ତୁ ଜାଣିବା ଏହାକୁ ନେଇ ରହିଥିବା କିଛି ରୋଚକ ତଥ୍ୟ ।

ବାବା ଗୋରକ୍ଷନାଥ ଭଗବାନ ଶିବଙ୍କ ଅବତାର ବୋଲି ଲୋକଙ୍କ ବିଶ୍ୱାସ ରହିଛି । ତାଙ୍କୁ ଆଦିଯୋଗୀ ମଧ୍ୟ କୁହାଯାଏ । ସ୍ଥାନୀୟ ବାସିନ୍ଦା ବାବା ଗୋରକ୍ଷନାଥଙ୍କୁ ବାବା ଗୋରଖନାଥ ମଧ୍ୟ କୁହନ୍ତି, ତାଙ୍କ ନାମ ଅନୁସାରେ ଗୋରଖନାଥ ମନ୍ଦିର ଓ ଗୋରଖପୁର ସହରର ନାମକରଣ କରାଯାଇଛି । ବାବା ଗୋରଖନାଥଙ୍କ ପାଖରେ ଖେଚୁଡ଼ି ଭୋଗର ପ୍ରଥା ଦେବୀ ଜ୍ୱାଳାମୁଖିଙ୍କ ସହିତ ଜଡ଼ିତ ।

ପୌରାଣିକ କଥା ଅନୁଯାୟୀ, ବାବା ଗୋରକ୍ଷନାଥ ଭିକ୍ଷାବୃତ୍ତି କରିବା ସମୟରେ ହିମାଚଳରେ ଥିବା ମା’ଜ୍ୱାଳାମୁଖୀଙ୍କ ମନ୍ଦିରରେ ପହଞ୍ଚିଥିଲେ । ବାବା ଗୋରଖନାଥ ସେଠାରେ ନିଜ ଭକ୍ତି ଓ ତପସ୍ୟା ବଳରେ ମା’ ଜ୍ୱାଳାମୁଖୀଙ୍କୁ ପ୍ରସନ୍ନ କରିଥିଲେ । ମା’ ଜ୍ୱାଳାମୁଖୀ ସେଠାରେ ଆବିର୍ଭାବ ହୋଇ ତାଙ୍କୁ ଦର୍ଶନ ଦେବା ସହ ଗୋରକ୍ଷନାଥଙ୍କୁ ଭୋଜନ କରିବା ପାଇଁ କହିଥିଲେ । ଭୋଜନ ପାଇଁ ବସିବାପରେ ତାଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରସା ଯାଇଥିଲା । ହେଲେ ସେ ଭିକ୍ଷାରେ ପାଇଥିବା ଚାଉଳ ଓ ଡାଲି ଗ୍ରହଣ କରିବେ ବୋଲି ମାଆଙ୍କ ନିକଟରେ ନିବେଦନ କରିଥିଲେ ।

ଗୋରକ୍ଷନାଥଙ୍କ ନିବେଦନରେ ଜ୍ୱାଳାଦବୀ ତାଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ପାଣି ଗରମ କରିଥିଲେ । ଏହା ମଧ୍ୟରେ ବାବା ଗୋରକ୍ଷନାଥ ଭିକ୍ଷାମାଗି ରାପ୍ତି ନଦୀ କୁଳରେ ପହଞ୍ଚିଥିଲେ । ସେଠାରେ ସେ ନିଜର ଅକ୍ଷୟ ପାତ୍ର ରଖି ସାଧନାରେ ଲୀନ ହୋଇଗଲେ । ମକର ସଂକ୍ରାନ୍ତି ପାଇଁ ସେଠାକୁ ଯାଇଥିବା ସ୍ଥାନୀୟ ଲୋକେ ବାବାଙ୍କୁ ସାଧନାରେ ଲୀନ ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଲୋକମାନେ ତାଙ୍କ ପାତ୍ରରେ ଡାଲି, ଚାଉଳ ଦେବା ଆରମ୍ଭ କରିଥିଲେ କିନ୍ତୁ ତାଙ୍କ ପାତ୍ରଟି ପୁରୁ ନଥିଲା । ଯାହା ଏକ ଚମତ୍କାର ବିଷୟ ଥିଲା ।

ଦେଶରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

 

କ୍ରମେ ଲୋକମାନେ ବାବା ଗୋରଖନାଥଙ୍କୁ ପୂଜା କରିବାକୁ ଲାଗିଲେ ଓ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ତାଙ୍କ ପାଖରେ ଡାଲି ଚାଉଳର ଖେଚୁଡ଼ି, ରାଶି ଲଡ଼ୁ ଇତ୍ୟାଦି ଭୋଗ ଲାଗି କରିଥାନ୍ତି । ଆଜି ବି ଗୋରଖପୁରର ଗୋରଖନାଥ ମନ୍ଦିରରେ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଖେଚୁଡ଼ି ଭୋଗ ଲାଗିହୁଏ। ଗୋରଖନାଥ ମନ୍ଦିରରେ ପ୍ରଥମ ଖେଚୁଡ଼ି ସେଠାକାର ମହନ୍ତ ଅର୍ପଣ କରିଥାନ୍ତି ।

Spread the love