ଆମ ହାତରେ ରହିବ ଶାସନ: ଆଦିବାସୀ

ସୁନ୍ଦରଗଡ଼ : ‘ଆଦିବାସୀ ହିଁ ଏହି ଭୂଖଣ୍ଡର ମୂଳ ଅଧିବାସୀ ଓ ପ୍ରାକୃତିକ ସମ୍ପଦର ଅସଲ ମାଲିକ। ତେଣୁ ଏଠି ଅନ୍ୟ କାହାର ଶାସନକୁ ମାନିବୁ ନାହିଁ। ଆଦିବାସୀଙ୍କ ହାତରେ ହିଁ ଶାସନ ରହିବ।’ ଏପରି ଘୋଷଣା କରି ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ବ୍ଲକ୍‌ ଲୁଲୁକିଡିହି ପଞ୍ଚାୟତ ଓ ବଡ଼ଗାଁ ବ୍ଲକ୍‌ ଅନ୍ତର୍ଗତ କିଛି ଗାଁର ଆଦିବାସୀ ନିର୍ବାଚିତ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯାହାକି, ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ‘କୁଟୁମ୍ବ ପରିବାର ଭାରତ ସରକାର’ ନାମକ ଏକ ସଂଗଠନର ନେତୃତ୍ବରେ ଆଦିବାସୀମାନେ ଏହିଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବା ସହ ସରକାରଙ୍କ ସୁବିଧା, ସହାୟତାକୁ ଅଗ୍ରାହ୍ୟ କରିଛନ୍ତି।

ସୂଚନା ଅନୁସାରେ, ଲୁଲୁକିଡିହି ପଞ୍ଚାୟତର ସରେଇଟୋଲା, ଜଡ଼ାଟୋଲି, ରଖୱାରି, ରସଡୁମେର ଗାଁରେ ପ୍ରାୟ ୩ ଶହରୁ ଅଧିକ ପରିବାର ରହୁଛନ୍ତି। ସେମାନେ ଡାକ ଯୋଗେ ବାଲିଶଙ୍କରା ବିଡିଓଙ୍କ ନିକଟକୁ ସେମାନଙ୍କର ରାସନ କାର୍ଡ ସହ ଆଧାରକାର୍ଡ ଓ ଭୋଟର୍‌ କାର୍ଡ, ଭତ୍ତା କାର୍ଡ ଫେରାଇ ଦେଇଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟରୁ ପିଡିଏସ ସାମଗ୍ରୀ ନେଉ ନାହାନ୍ତି। ଗତ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଅନେକ ମତଦାନ କରି ନଥିଲେ।

ଗୁଜରାଟ ରାଜ୍ୟର ସୁରତରେ ‘କୁଟୁମ୍ବ ପରିବାର ଭାରତ ସରକାର’ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଆଉ କିଛି ରାଜ୍ୟରେ ଏହି ସଂଗଠନ ସକ୍ରିୟ ରହିଛି। ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରାୟ ୭ ବର୍ଷ ତଳେ ପ୍ରବେଶ କରିଥିବା ଏହି ସଂଗଠନ ସୀମାନ୍ତ ବାଲିଶଙ୍କରା ବ୍ଲକର ଲୁଲୁକିଡିହିରେ ଡେରାପକାଇ ଆଦିବାସୀଙ୍କୁ ପ୍ରଭାବିତ କରି ଆସୁଛି। ସଂସ୍ଥାର ଉଚ୍ଚ କର୍ମକର୍ତ୍ତା ଭାଷଣରେ କହୁଛନ୍ତି ଯେ ସଂଗଠିତ ହେଲେ ଶାସନ ଆଦିବାସୀଙ୍କ ହାତକୁ ଆସିବ। ଅଲଗା ସ୍କୁଲ, ଡାକ୍ତରଖାନା, ମୁଦ୍ରା ବା ଟଙ୍କା ବି ଅଲଗା ପ୍ରଚଳନ ହେବ। ତେଣୁ ତଥାକଥିତ ଶାସନ ବ୍ୟବସ୍ଥାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ। କୁଟୁମ୍ବ ପରିବାର ଭାରତ ସରକାର ହିଁ ଦେଶର ଅସଲ ସରକାର।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସଂଗଠନରେ ସାମିଲ ହେବାକୁ ପରିବାର ପ୍ରତି ପଞ୍ଜୀକରଣ ବାବଦକୁ ୨୫ ଶହ ଟଙ୍କା ଓ ମାସିକ ୩୦ ଟଙ୍କା ଆଦାୟ କରାଯାଉଛି ଓ ସରେଇଟୋଲା, ଜଡ଼ାଟୋଲି, ରଖୱାରି, ରସଡୁମେର ଗାଁର ୩ ଶହ ପରିବାର ସଂଗଠନରେ ସାମିଲ ହୋଇସାରିଛନ୍ତି। ଗତ ମାର୍ଚ୍ଚ ମାସରେ ସଂଗଠନର କର୍ମକର୍ତ୍ତା ଓ ଉକ୍ତ ଗାଁର ଆଦିବାସୀ ପ୍ରତିନିଧି ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନକୁ ସରକାରୀ ସୁବିଧା ଓ ସହାୟତା ଫେରସ୍ତ ନେବାକୁ ଅନୁରୋଧ କରିଥିଲେ। ପ୍ରଶାସନ ଗ୍ରହଣ ନକରିବାରୁ ଡାକ ଯୋଗେ ବାଲିଶଙ୍କରା ବିଡିଓଙ୍କୁ ଅଭିଯାନ ସମ୍ପର୍କିତ ଦସ୍ତାବିଜ୍‌ ସହ ରାସନ କାର୍ଡ, ଭୋଟର କାର୍ଡ, ଆଧାର କାର୍ଡ ଓ ଭତ୍ତା କାର୍ଡ ଫେରାଇ ଦେଇଛନ୍ତି। ଆଦିବାସୀଙ୍କ ଉଦ୍‌ଘୋଷଣା ସମ୍ପର୍କରେ ଅବଗତ ଥିବା ବିଡିଓ ଜ୍ୟୋତିର୍ମୟୀ ପ୍ରଧାନ କହିଛନ୍ତି।

Spread the love