ଜୁଲାଇ ସୁଦ୍ଧା ଚାଷୀ ଗଣିବେ ସରକାର
ଭୁବନେଶ୍ୱର : କୃଷି ଓ କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘କାଳିଆ’ ଓ ‘ବଳିଆ’ଠାରୁ ଆରମ୍ଭ କରି ରିଆତି ସୁଧରେ କୃଷିଋଣ ଭଳି ବହୁବିଧ ଯୋଜନା ଆପଣାଇଛନ୍ତି। ହେଲେ ବାସ୍ତବକ୍ଷେତ୍ରରେ ଚାଷୀଙ୍କ ନାଁରେ କେତେବେଳେ ଭୂତ ପଶି ସରକାରୀ ଯୋଜନା ଚଳୁ କରି ପାର୍ ହୋଇଯାଉଛନ୍ତି ତ ଆଉ କେତେବେଳେ ମନ୍ତ୍ରୀ, ନେତା ଓ ଥିଲାବାଲା ହାତେଇ ନେଉଛନ୍ତି। ଏନେଇ ଅଭିଯୋଗ ହେଲେ ସରକାର ମାର୍ ମାର୍ ଭଣ୍ଡାରିଆକୁ ମାର୍ ନୀତିରେ ହାତଗଣତି କେତେକ ଘଟଣାର ସମାଧାନ କରି ଦେଉଛନ୍ତି। ହେଲେ ଧାନ କ୍ଷେତରେ ଯେଉଁ ବାଳୁଗାଁକୁ ସେଇ ବାଳୁଗାଁ। ଯେଉଁଥିପାଇଁ ରାଜ୍ୟ ସରକାର ୫୦ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ‘କାଳିଆ’ ଯୋଜନା ବାବଦ ସହାୟତା ଦେଉଥିଲେ ହେଁ ପୂର୍ଣ୍ଣାଙ୍ଗ ତଥ୍ୟ ଅଭାବରୁ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଗତ ୨ବର୍ଷ ଧରି ପ୍ରାୟ ୧୭ଲକ୍ଷ ଚାଷୀ ବଞ୍ଚିତ ହୋଇଛନ୍ତି। ଏସବୁ ସମସ୍ୟାକୁ ଦେଖିବା ପରେ କୃଷି ଉତ୍ପାଦନ ଆୟୁକ୍ତ ସଞ୍ଜୀବ ଚୋପ୍ରା ଅସନ୍ତୋଷବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ଚାଷୀ ଗଣନା କରିବା ସହିତ ପ୍ରକୃତ ଚାଷୀଙ୍କୁ ପଞ୍ଜୀକରଣ କରି ସେମାନେ ଯେପରି ସରକାରୀ ଯୋଜନାର ସୁଯୋଗ ପାଇବେ ତାହା ନିଶ୍ଚିତ କରାଯିବ।
ଏନେଇ କୃଷି ଉତ୍ପାଦନ ଆୟୁକ୍ତ ଶ୍ରୀ ଚୋପ୍ରା ସବୁ ଜିଲାପାଳଙ୍କୁ ପତ୍ର ଲେଖି ‘କୃଷକ ଓଡ଼ିଶା’ ଡାଟାବେସ ପ୍ରସ୍ତୁତ କରିବାପାଇଁ ନିର୍ଦେଶ ଦେଇଛନ୍ତି। ଶ୍ରୀ ଚୋପ୍ରା ଦର୍ଶାଇଛନ୍ତି ଯେ ଏହି
ଡାଟାବେସ୍ ଦ୍ବାରା ହିଁ କୃଷକ ଓ କୃଷିକ୍ଷେତ୍ରର ବିକାଶ ହୋଇପାରିବ। ଗତ ଜୋନାଲ କନଫରେନ୍ସ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କୃଷକ ଓଡ଼ିଶା’ର ଶୁଭାରମ୍ଭ କରିଥିଲେ। ଏଥିରେ ସାରା ରାଜ୍ୟର ଚାଷୀଙ୍କ ସମସ୍ତ ତଥ୍ୟ ରହିଛି। ‘କୃଷକ ଓଡ଼ିଶା’ ହେଉଛି ସରକାରଙ୍କ ଏକ ବାସ୍ତବଧର୍ମୀ ଡାଟାବେସ୍। ଏଥିରେ କ୍ଷୁଦ୍ର, ନାମମାତ୍ର, କୃଷି ଶ୍ରମିକ ଓ ଭୂମିହୀନ ଭଳି ବିଭିନ୍ନ ବର୍ଗର ୪୯.୫ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ। ଏହି ପୋର୍ଟାଲରେ ପ୍ରତ୍ୟେକ ଚାଷୀଙ୍କ ଘର ଠିକଣା, କେତେ ପରିମାଣର ଜମି, କେଉଁ ପ୍ରକାର ଚାଷ ଜମି, କେତେ ଗୃହପାଳିତ ପଶୁ ଓ ପକ୍ଷୀ, ମତ୍ସ୍ୟ ଚାଷ ସମ୍ପର୍କରେ ଟିକିନିଖି ବିବରଣୀ ରହିବ। ୫-ଟି ନୀତି ଅନୁଯାୟୀ ପ୍ରତ୍ୟେକ ଚାଷୀ ଯେଭଳି ସରକାରୀ ଯୋଜନାର ଲାଭ ସିଧାସଳଖ ପାଇପାରିବେ ତାକୁ ନେଇ ପୋର୍ଟାଲରେ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଜଣେ ହେଲେ ଚାଷୀ ଯେଭଳି କୌଣସି ଯୋଜନାରୁ ବଞ୍ଚିତ ନ ହୁଏ ସେଥିପ୍ରତି ସରକାର ଯତ୍ନବାନ ହେବେ। ଏହାବାଦ୍ ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆହରଣ ପାଇଁ ମୋ-ସେବା କେନ୍ଦ୍ରର ସହାୟତା ନେଇ ପାରିବେ। ସରକାରଙ୍କ ପକ୍ଷରୁ ‘ଗୋ-ସୁଗମ’ ପୋର୍ଟାଲକୁ ‘କୃଷକ ଓଡ଼ିଶା’ ସହିତ ସଂଯୋଗ କରାଯାଇଛି। ଏଥିରେ କୃଷକମାନେ ୧୩ଟି ସରକାରୀ ସୁବିଧା ସମ୍ପର୍କରେ ଅବଗତ ହୋଇପାରିବେ। ଏହାମଧ୍ୟରେ ଜଳସେଚନ, ପି-ପାସ୍, ଏମ-ପାସ୍, ଏନଏଫଏସଏ, ଭୂଲେଖ ଓ ଆଧାର ସମ୍ପର୍କିତ ତଥ୍ୟ ଅପଡେଟ୍ ହୋଇପାରିବ। ଯେଉଁ ଚାଷୀମାନେ ଅଦ୍ୟାବଧି ପଞ୍ଜୀକରଣ ହୋଇନାହାନ୍ତି ସେମାନେ ଜୁଲାଇ ସୁଦ୍ଧା ପଞ୍ଜୀକରଣ ହେବା ନିହାତି ଆବଶ୍ୟକ। ଏହାବାଦ୍ ଯେଉଁ ଚାଷୀ ତାଙ୍କର ତଥ୍ୟ ଅପଡେଟ କରିବାକୁ ଚାହିଁବେ ତାହା ମଧ୍ୟ କରିପାରିବେ। ଏମିତିକି ଚାଷୀମାନେ ତାଙ୍କ ତଥ୍ୟରେ କେତେ ଜମି ଚାଷ କରୁଛନ୍ତି ତାହାର ବିବରଣୀ ସହିତ ସରକାରୀ ସହାୟତା ଏବଂ କେତେ ସାର ଉପଯୋଗ କରିଛନ୍ତି ତାହା ମଧ୍ୟ ଦର୍ଶାଇ ପାରିବେ। ସରକାରଙ୍କ ପକ୍ଷରୁ ଏବେ ‘ମୋ-ସେବା’ କେନ୍ଦ୍ରରେ ପଞ୍ଜୀକରଣ କଲେ ଚାଷୀଙ୍କୁ ୫୦ ପ୍ରତିଶତ ଦେୟ ଦେବାକୁ ପଡ଼ିବ। ଅବଶିଷ୍ଟ ୫୦ପ୍ରତିଶତ ଦେୟ ସରକାରୀ ରିଆତି ପ୍ରଦାନ କରାଯିବ। ଏହି ସମସ୍ତ କାର୍ଯ୍ୟ ଜୁଲାଇ ସୁଦ୍ଧା ମୋ-ସେବା କେନ୍ଦ୍ରରେ କରିବାକୁ ପଡ଼ିବ।