ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ, ଜାଣନ୍ତୁ କେଉଁଠି ହୋଇଛି କି ବ୍ୟବସ୍ଥା

ବାତ୍ୟା ଅମ୍ଫାନ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ବାତ୍ୟା ମୁକାବିଲା ପାଇଁ ଉପକୂଳବର୍ତ୍ତୀ ୧୨ ଜିଲ୍ଲାରେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ଏଥି ସହିତ ସରକାର ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ‘ଉମ୍-ପୁନ୍’ (ଅମ୍ଫାନ୍) ପାରାଦ୍ୱୀପର ଦକ୍ଷିଣକୁ ୭୩୦ କି.ମି. ଦୂରରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ସମୁଦ୍ର ମଧ୍ୟରେ ମହାବାତ୍ୟା ରୂପ ନେବ । ଏହା ପରବର୍ତ୍ତୀ ସମୟରେ କିଛି ସମୟ ପାଇଁ ଉତ୍ତର ଦିଗକୁ ଗତିକରିବ ।

ପରେ ଉତ୍ତର-ଉତ୍ତର ପୂର୍ବକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ମଧ୍ୟଦେଇ ୨୦ ମଇ ଅପରାହ୍ଣ / ସନ୍ଧ୍ୟା ସୁଦ୍ଧା ଏହା ଅତି ଭୟଙ୍କର ବାତ୍ୟା ରୂପ ନେଇ ଦୀଘା (ପଶ୍ଚିମବଙ୍ଗ) ଓ ସୁନ୍ଦରବନ ନିକଟବର୍ତ୍ତୀ ହାତିଆ ଦ୍ୱୀପ (ବାଂଲାଦେଶ) ମଧ୍ୟ ଦେଇ ଅତିକ୍ରମ କରିବ । ଏହି ସମୟରେ ଏହାର ବେଗ ଘଣ୍ଟାପ୍ରତି ୧୬୫-୧୭୫ କି.ମି. ରହିବ । ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୮୫ କି.ମି. ହୋଇପାରେ ।

ବୃଷ୍ଟିପାତ: 

ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବ । ବିଶେଷ ଭାବେ ଉପକୂଳ ଓଡ଼ିଶାର ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ଓଡ଼ିଶାର ଉତ୍ତର ଉପକୂଳ ଅଂଚଳର ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୯ ତାରିଖରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ୨୦ ତାରିଖରେ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡା ଓ କେଉଁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ।

ପବନ ସତର୍କତା:

ଦକ୍ଷିଣ-ଓଡ଼ିଶା ଉପକୂଳରେ ପବନର ବେଗ ଘଣ୍ଟା ପ୍ରତି ୪୫-୫୫ କି.ମି. ରହିବ ଏବଂ ସ୍ଥଳବିଶେଷରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ କି.ମି. ହୋଇପାରେ ଏବଂ ଏହା ୧୯ ତାରିଖରେ ମଧ୍ୟ ଉତ୍ତର-ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୫୫-୬୫ କି.ମି. ପବନ ବହିବ । ସ୍ଥଳବିଶେଷରେ ପବନର ତୀବ୍ରତା ଘଣ୍ଟା ପ୍ରତି ୭୫ କି.ମି. ହୋଇପାରେ । ୨୦ ମଇ ସକାଳ ସୁଦ୍ଧା ପବନର ବେଗ କ୍ରମଶଃ ବୃଦ୍ଧିପାଇ ବତାସ ରୂପ ନେଇ ଉତ୍ତର ଓଡ଼ିଶା ଉପକୂଳର ଜଗତ୍ସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ଘଣ୍ଟା ପ୍ରତି ୭୫-୮୫ କି.ମି. ରହିବ ଏବଂ ଏହାର କ୍ଷୀପ୍ରତା ଘଣ୍ଟା ପ୍ରତି ୯୫ କି.ମି. ହେବାର ଅନୁମାନ କରାଯାଇଛି । ପରବର୍ତ୍ତୀ ସମୟରେ ପବନର ବେଗ ବୃଦ୍ଧି ପାଇ ଉତ୍ତର ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୧୧୦ ରୁ ୧୨୦ କି.ମି. ରହିବା ସହ ମଝିରେ ମଝିରେ ପବନର ତୀବ୍ରତା ଘଣ୍ଟାପ୍ରତି ୧୩୫ କି.ମି. ହୋଇପାରେ । ୨୦ ତାରିଖରେ ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୫୫-୬୫ କି.ମି. ହୋଇ ପରେ ଏହାର ବେଗ ସର୍ବାଧିକ ଘଣ୍ଟାପ୍ରତି ୭୫ କି.ମି. ରହିବ ।

ସମୁଦ୍ର ଅବସ୍ଥା:
ଦକ୍ଷିଣ-ପଶ୍ଚିମ ଓ କେନ୍ଦ୍ରୀୟ ବଙ୍ଗୋପସାଗରର ନିକଟବର୍ତ୍ତୀ ଅଞ୍ଚଳ ସମୁଦ୍ର ଅଶାନ୍ତ ରହିବ ଏବଂ ଏହା ଆଜି ରାତି ଠାରୁ କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣାଞ୍ଚଳ ଅସ୍ୱାଭାବିକ ରହିବ । ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋଳପସାଗରର ଉତ୍ତର ଭାଗ ଓ ନିକଟବର୍ତ୍ତୀ ଉତ୍ତର ପାଶ୍ୱର୍ରେ ଏବଂ ୨୦ ତାରିଖରେ ବଙ୍ଗୋପସାଗରର ଉତ୍ତର ଭାଗରେ ଅସ୍ୱାଭାବିକ ସ୍ଥିତି ଜାରି ରହିବ । ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର-ଓଡ଼ିଶା ଉପକୂଳ ଅଂଚଳ, ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ସମୀପବର୍ତ୍ତୀ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା ଦଳ
ଓଡ୍ରାଫ୍ ୨୦ ଟି ଦଳ, ଏନ୍.ଡି.ଆର୍.ଏଫ୍ ର ୧୯ ଟି ଦଳ ଏବଂ ଅଗ୍ନି ଓ ବିପର୍ଯ୍ୟୟ ପରିଚାଳନାର ୩୩୫ ୟୁନିଟ୍ ସେବା ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି । ୧୩ ଏନ୍.ଡି.ଆର୍.ଏଫ୍ ଟିମ୍ ଏବଂ ୧୫ ଟି ଓଡ୍ରାଫ୍ ଟିମ୍ ଓ ୨୧୭ ଟି ଅଗ୍ନିଶମ ବାହିନୀ ଛଅ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲା ଓ ପାଞ୍ଚ ଗୋଟି ନିକଟବର୍ତ୍ତୀ ଜିଲ୍ଲାରେ ଆଗୁଆ ଭାବେ ମୁତୟନ କରାଯାଇଛି । ପ୍ରତ୍ୟେକ ବିପଦସଂକୁଳ ଜିଲ୍ଳାଗୁଡିକୁ ଅଗ୍ନିଶମ ଅଧିକାରୀ ଓ ଉପ-ଅଗ୍ନିଶମ ଅଧିକାରୀଙ୍କୁ ଅଗ୍ନିଶମ ବାହିନୀକୁ ସଂଯୋଜନା କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ଅବଶିଷ୍ଟ ୧୧ ଟି (୬ ଏନ୍.ଡି.ଆର୍.ଏଫ ଓ ୫ ଟି ଓଡ୍ରାଫ) ଦଳକୁ କାମରେ ନିୟୋଜନ ପାଇଁ ପ୍ରସ୍ତୁତ ରଖାଯାଇଛି । ସେହିପରି ୧୦ ଟି ଅଗ୍ନିଶମ ବାହିନୀରେ ୧୦୦ ଜଣଙ୍କୁ ପ୍ରସ୍ତୁତ ରଖାଯାଇଛି ।

ସ୍ୱାସ୍ଥ୍ୟସେବା ପ୍ରସ୍ତୁତି
ଭାମ୍ୟମାଣ ସ୍ୱାସ୍ଥ୍ୟସେବା ଦଳ ପ୍ରଭାବିତ ଅଞ୍ଚଳଗୁଡିକରେ ମୁତୟନ ସକାଶେ ପ୍ରସ୍ତୁତ ରଖାଯାଇଛି । ଡାକ୍ତରଖାନାଗୁଡିକରେ ଯଥେଷ୍ଟ ପରିମାଣର ଇନ୍ଧନ(ତେଲ) ସହିତ ବିଦ୍ୟୁତ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଅତ୍ୟାବଶ୍ୟକୀୟ ଔଷଧ, ସାପକାମୁଡା ଔଷଧ ମହଜୁଦ ରଖାଯାଇଛି । ଉପକୂଳର ୩ କି.ମି. ଅଞ୍ଚଳରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ପ୍ରବାସୀ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ୍ ନେଗେଟିଭ୍ ରୋଗୀମାନଙ୍କୁ ଗୃହ ପୃଥକବାସ ଏବଂ ପଜିଟିଭ୍ ରୋଗୀମାନଙ୍କୁ କୋଭିଡ୍ କେନ୍ଦ୍ରକୁ ସଂଗେ ସଂଗେ ପଠାଯିବାକୁ ବ୍ୟବସ୍ଥା କରାଯାଇଛି । ବିପର୍ଯ୍ୟୟ ମୁକାବିଲାର ତଦାରଖ ପାଇଁ ଜିଲ୍ଲା ଏବଂ ବ୍ଲକ ସ୍ତରରେ ନୋଡାଲ ଅଧିକାରୀ ଚିହ୍ନଟ କରାଯାଇଛି । ଆସନ୍ନ ପ୍ରସବା ମହିଳାଙ୍କୁ ଆଭ୍ୟନ୍ତରୀଣ ଅଗମ୍ୟ ଅଞ୍ଚଳରୁ ପ୍ରସୂତି କେନ୍ଦ୍ର /ମାଆ ଗୃହକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରାଯାଇଛି । ପରିମଳ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ଲିଂଚି ପାଉଡର/ଓଆର୍ଏସ୍/ ହାଲୋଜିନ୍ ବଟିକା ମହଜୁଦ ରଖାଯାଇଛି ଏବଂ ଏହା ଆଶାକର୍ମୀଙ୍କ ପାଖରେ ଉପଲବ୍ଧ ହେବ ।

ବିଦ୍ୟୁତ ବ୍ୟବସ୍ଥା: ଓପିଟିସିଏଲ୍ ଏବଂ ବିତରଣ ସଂସ୍ଥାଗୁଡିକ ବାତ୍ୟା ପରବର୍ତ୍ତୀ ସମୟରେ ତତ୍କ୍ଷଣାତ୍ ପୁନଃରୁଦ୍ଧାର କାର୍ଯ୍ୟ କରିବା ପାଇଁ କୁଶଳୀ କର୍ମଚାରୀଙ୍କୁ ସଜାଗ ରଖିବା ସହ ଉପକରଣମାନ ମହଜୁଦ୍ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି । ବାତ୍ୟା ପୂର୍ବରୁ ବିଦ୍ୟୁତ ଯୋଗାଣ ବ୍ୟାଘାତ ହୋଇଯିବାର ସମ୍ଭାବନା ଥିବାରୁ ସଂପୃକ୍ତ ସଂସ୍ଥା ଓ ସରକାରୀ କାର୍ଯ୍ୟାଳୟ ବିକଳ୍ପ ଶକ୍ତିର ବ୍ୟବସ୍ଥା ସ୍ୱରୂପ ଜେନେରେଟର ସେଟ୍ ଓ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ୍ ରଖିବାକୁ କୁହାଯାଇଛି । ଦଳଗୁଡିକ ଜେନେରେଟର ସେଟ୍, ଗ୍ୟାସ କଟର, ଗାଡି ସହିତ ତତ୍କ୍ଷଣାତ୍ ମୁତୟନ ନିମନ୍ତେ ପ୍ରସ୍ତୁତ ରଖାଯାଇଛି।

ଟେଲିକମ୍ ବ୍ୟବସ୍ଥା:
ରାଜ୍ୟରେ ଟେଲିକମ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ସହ ବୈଠକ କରାଯାଇ ଆଗୁଆ ପଦକ୍ଷେପ ନିମନ୍ତେ ସେମାନଙ୍କୁ ଜେନେରେଟର ସେଟ୍, ମୋବାଇଲ୍ ଟାୱାରଗୁଡିକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି । ଟେଲିକମ୍ ସେବା ବାଧାପ୍ରାପ୍ତ ହେଲେ ତାହାର ପୁନଃରୁଦ୍ଧାର ପାଇଁ ସେଲ୍-ଅନ୍-ହୁଇଲ୍ ବ୍ୟବସ୍ଥା କରିବା ପାଇଁ ସେମାନଙ୍କୁ କୁହାଯାଇଛି ।

ପାନୀୟ ଜଳ ବ୍ୟବସ୍ଥା:
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୧୬୩ଟି ଜେନେରେଟର ବିଦ୍ୟୁତ ନଥିବା ସମୟରେ ୧୨ ଜିଲ୍ଲାର ଗ୍ରାମାଞ୍ଚଳରେ ଅବିରତ ଜଳଯୋଗାଣ ପାଇଁ ରଖାଯାଇଛି । ୭୨୫ ଟି ପିଭିସି ଟ୍ୟାଙ୍କ, ପିଭିସି ଟ୍ୟାଙ୍କ ପରିବହନ ପାଇଁ ୩୩୯ଟି ଯାନ, ୩୭ଟି ପାଣି ଟାଙ୍କି ବ୍ୟବହାର ନିମିତ୍ତ ପ୍ରସ୍ତୁତ କରି ରଖାଯାଇଛି । ୧୩୫ଟି ଭ୍ରାମ୍ୟମାଣ ମରାମତି ଦଳ, ୭୯ ଇଲେକ୍ଟ୍ରିସିଆନ୍ ଜରୁରୀକାଳୀନ ଭିତ୍ତିରେ ମରାମତି କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ବିଶୋଧନ ପାଇଁ ୯୪୦ ବ୍ୟାଗ୍ ବ୍ଲିଂଚି ପାଉଡର ରଖାଯାଇଛି । ସହରାଞ୍ଚଳଗୁଡିକରେ ଅବିରତ ଜଳଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ପୌରପରିଷଦ ଅଧିନରେ ପର୍ଯ୍ୟାପ୍ତ ସଂଖ୍ୟକ ଜେନେରେଟର ସେଟ୍ ଓ ପାଣିଟାଙ୍କି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୂର୍ବରୁ ରଖାସରିଛି । ବାତ୍ୟା ପରବର୍ତ୍ତୀ ସମୟରେ ୨୪ ଘଣ୍ଟିଆ ପର୍ଯ୍ୟାପ୍ତ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଲଗାତର ପମ୍ପିଂ ଦ୍ୱାରା ୨୦ ଟି
ଜଳ ଭଣ୍ଡାରକୁ ପୂର୍ଣ୍ଣ ରଖାଯିବ ।

ମତ୍ସ୍ୟଓ ପଶୁପାଳନ:

ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଥିବା ସମସ୍ତ ୪୧୧୫ଗୋଟି ବୋଟ୍ ଫେରିଆସିଛନ୍ତି । ଖୋର୍ଦ୍ଧା ଓ ୬ ଗୋଟି ଉପକୂଳ ଜିଲ୍ଲାରେ ୨୨୦୫୦ ସଂଖ୍ୟକ ମାଛଧରା ବନ୍ଦର, ମାଛ ଉତ୍ତରଣ କେନ୍ଦ୍ର ଭଳି ନିରାପଦ ସ୍ଥାନରେ ରଖାଯାଇଛି । ପ୍ରାଣୀ ସଂପଦକୁ ବାତ୍ୟା ସମୟରେ ସୁରକ୍ଷିତ ରଖିବା ପାଇଁ ଇଲେକ୍ଟ୍ରୋନିକ ଓ ମୁଦ୍ରଣ ଗଣମାଧ୍ୟମରେ ସଚେତନତା ଅଭିଯାନ କରାଯାଇଛି । ଜିଲ୍ଲା ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀଙ୍କୁ ବିପଦସଂକୁଳ ଅଞ୍ଚଳରେ ବିତରଣ ପାଇଁ ଆବଶ୍ୟକ ଔଷଧ ଓ ଟୀକା ଯୋଗାଇ ଦିଆଯାଇଛି ।

 କୃଷି
ପାଚିଲା ଓ ଅମଳ ହୋଇଥିବା ଧାନ ତଥା ଧାନ ଭିନ୍ନ ଅନ୍ୟ ଫସଲର ସୁରକ୍ଷା ଏବଂ ଅନ୍ୟ ଫସଲ ସୁରକ୍ଷା ପ୍ରଣାଳୀ ପାଇଁ ଓ.ୟୁ.ଏ.ଟି. ଓ କୃଷି ନିଦେ୍ର୍ଦଶାଳୟ ଦ୍ୱାରା ପ୍ରସ୍ତୁତ କୃଷିଭିତ୍ତିକ ଫସଲ ମାର୍ଗଦର୍ଶିକା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ କ୍ଷେତ୍ରାଧିକାରୀ ଓ କୃଷକମାନଙ୍କୁ ପ୍ରଦାନ କରାଯାଇଛି ।

ଜଳସଂପଦ
ବାତ୍ୟା ଯୋଗୁଁ ଅଧିକ ବର୍ଷାର ମାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକରେ ଥିବା ମଧ୍ୟମ ଜଳଭଣ୍ଡାରଗୁଡିକରୁ ଜଳ ନିଷ୍କାସନ କରାଯିବ ।

ଗ୍ରାମ୍ୟ ଉନ୍ନୟନ
ବିପଦସଂକୁଳ ଜିଲ୍ଲାମାନଙ୍କର ନିର୍ବାହୀ ଯନ୍ତ୍ରୀମାନଙ୍କୁ ରାସ୍ତା ଯୋଗାଯୋଗ ସୁଗମ କରିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମାନବ ସମ୍ବଳ, ଯନ୍ତ୍ରପାତି, ରୋଲର ଇତ୍ୟାଦିକୁ ବିପଦପୂର୍ଣ୍ଣ ସ୍ଥାନଗୁଡିକରେ ପ୍ରସ୍ତୁତ ରଖିବା ନିମନ୍ତେ ନିର୍ଦେଶ ଦିଆଯାଇଛି ।

ଯୋଗାଯୋଗ ବ୍ୟବସ୍ଥା:
ସମସ୍ତ ଜିଲ୍ଲାପାଳ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳ ଏବଂ ଅନ୍ୟ ସଂପୃକ୍ତ ଅଧିକାରୀଙ୍କ ପାଖରେ ଥିବା ସାଟେଲାଇଟ୍
ଫୋନ୍ଗୁଡିକୁ ରିଚାର୍ଜ ଓ ବ୍ୟବହାର ଉପଯୋଗୀ ରଖିବାକୁ ନିର୍ଦେଶ ଦିଆଯାଇଛି । ୬ ଗୋଟି ଉପକୂଳବର୍ତ୍ତୀ ଜିଲ୍ଲାରେ ଥିବା ଡିଜିଟାଲ୍ ମୋବାଇଲ୍ ରେଡିଓ କୁ ପ୍ରସ୍ତୁତ ରଖାଯାଇଛି । ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ଏବଂ ଖୋର୍ଦ୍ଧା, ଯାଜପୁର ଓ କଟକରେ ଭି-ସ୍ୟାଟ୍ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି।

Spread the love